ନିରବିଲା ଭାରତର ସ୍ୱର, ପରଲୋକରେ ଶୀର୍ଷ ଗାୟିକା ଲତା

 ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ
ଯେ‌ାଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ଦୁଇ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା

ମୁମ୍ବାଇ : ସ୍ବର ସମ୍ରାଜ୍ଞୀ, କୋକିଳ କଣ୍ଠୀ ତଥା ବଲିଉଡ୍‌ର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ଆଉ ନାହାନ୍ତି। ଆଜି ସକାଳେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ମୁମ୍ବାଇର ଶିବାଜୀ ପାର୍କରେ ସନ୍ଧ୍ୟା ବେଳେ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ମୃତ୍ୟୁରେ କେନ୍ଦ୍ର ସରକାର ରବିବାର ଏବଂ ସୋମବାର ପାଇଁ ଦୁଇଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ଦୁଇଦିନ ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ମହାରାଷ୍ଟ୍ର ସରକାର ଲତାଙ୍କ ମୃତ୍ୟୁରେ ସୋମବାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଲତାଙ୍କ ମୃତ୍ୟୁରେ ସଙ୍ଗୀତ, ସିନେମା ଜଗତ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

କରୋନା ସଂକ୍ରମିତ ହେବା ପରେ ଗତ ଜାନୁଆରି ୮ ତାରିଖରେ ଲତାଙ୍କୁ ବ୍ରିଚ କ୍ୟାଣ୍ଡି ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଭେଣ୍ଟିଲେଟରରେ ରହିବା ସହିତ ଉଭୟ କରୋନା ଓ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ। କିଛି ସପ୍ତାହ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ସେ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ। କିନ୍ତୁ ଗତକାଲି ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଥିଲା। ଡାକ୍ତରମାନେ ତାଙ୍କୁ ଆଇସିୟୁକୁ ନେବା ସହିତ ଭେଣ୍ଟିଲେଟରରେ ରଖି ଚିକିତ୍ସା କରିଥିଲେ। ଡାକ୍ତରମାନଙ୍କ ଶତ ଚେଷ୍ଟା ସତ୍ତ୍ବେ ଆଜି ଲତା ଆଜି ଆଖି ବୁଜିଛନ୍ତି।
ଭାରତ ରତ୍ନ, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ ସ‌ହିତ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ଲତା ଭାରତୀୟ ସ‌ିନେମାର କିମ୍ବଦନ୍ତୀ ଗାୟିକା ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ସହସ୍ରାଧିକ ହିନ୍ଦୀ ସିନେମାରେ ସେ ନିଜର ସୁମଧୁର କଣ୍ଠ ଦାନ କରି ଶ୍ରୋତାମାନଙ୍କୁ ଆମୋଦିତ କରିଛନ୍ତି। ଏଥିସହିତ ମରାଠୀ, ଓଡ଼ିଆ, ବଙ୍ଗାଳୀ ଠାରୁ ଆରମ୍ଭ କରି ଭାରତର ଏକାଧିକ ଆଞ୍ଚଳିକ ଭାଷାରେ ସେ ଗୀତ ଗାଇଛନ୍ତି। ଖ୍ୟାତନାମା ସଙ୍ଗୀତଜ୍ଞଙ୍କ ପରିବାରରେ ୧୯୨୯ ମସିହାରେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ସେ ଜନ୍ମ ହୋଇଥିଲେ। ପିତା ପଣ୍ଡିତ ଦୀନନାଥ ମଙ୍ଗେସକର ଓ ମାତା ସେବନ୍ତି ମଙ୍ଗେସକରଙ୍କର ସେ ଥିଲେ ପ୍ରଥମସନ୍ତାନ। ତାଙ୍କୁ ପ୍ରାୟ ୧୩ ବର୍ଷ ବୟସ ହୋଇଥିବାବେଳେ ପିତା ଦୀନନାଥଙ୍କର ମୃତ୍ୟୁ ହୋଇଥିଲା। ଏଥିପାଇଁ କୋମଳ ବୟସରୁ ପରିବାରର ବୋଝ ତାଙ୍କ ଉପରେ ପଡ଼ିଥିଲା। ଏହି ଦାୟିତ୍ବକୁ ସେ ସଫଳତାର ସହ ସମ୍ପାଦନ ମଧ୍ୟ କରିଥିଲେ। ଅନ୍ୟ ୩ ଭଉଣୀ ଓ ଗୋଟିଏ ଭାଇର ଲାଳନପାଳନ ଦାୟିତ୍ବ ସେ ଅତି ନିଷ୍ଠାର ସହ ସମ୍ଭାଳିଥିଲେ। ପିତାମାତାଙ୍କ ପରି ସ୍ନେହ ଆଦର ଦେଇ ଭାଇଭଉଣୀମାନଙ୍କୁ ମଣିଷ କରିଥିଲେ। ଭାରତର ଲାଇଟଆଙ୍ଗଲ୍ ଭାବେ ଜଣା ଲତା କେବଳ ଗୀତ ଗାଉ ନଥିଲେ, ସ୍ବର ସଂଯୋଜନା ସହିତ କେତୋଟି ସିନେମାର ପ୍ରଯୋଜନା ମଧ୍ୟ କରିଛନ୍ତି।

jagaran.com

ପିତାଙ୍କ ଠାରୁ ଲତା ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ୧୯୪୨ ମସିହାରେ ୧୩ ବର୍ଷ ବୟସରେ ବାପାଙ୍କ ଦେହାନ୍ତ ପରେ ଲତାଙ୍କ ସଙ୍ଗୀତ କ୍ୟାରିୟର ଆରମ୍ଭ ହୋଇଥିଲା। ମରାଠୀ ସିନେମାରେ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ୧୯୪୫ ମସିହାରେ ମଧୁବାଳାଙ୍କ ଅଭିନୀତ ସିନେମା ମହଲରୁ ସେ ପରିଚିତି ହାସଲ କରିଥିଲେ। ଉକ୍ତ ସନେମାର ଗୀତ ଆୟେଗା ଆନେୱାଲା ଗୀତ ହିଟ୍ ହେବା ଫଳରେ ସେ ଖ୍ୟାତି ଅର୍ଜନ କରିଥିଲେ। ଏହାପରେ ଲତା ଆଉ ପଛକୁ ଫେରି ଚାହିନାହାନ୍ତି। ବୟସ ବଢ଼ିବା ସହିତ ସଙ୍ଗୀତ କ୍ୟାରିୟରରେ ସେ ନୂଆ ନୂଆ ପାହାଚ ଚଢ଼ି ଆଗକୁ ବଢ଼ିଥିଲେ। ନୌସାଦଙ୍କ ଦ୍ବାରା ପ୍ରସ୍ତୁତ ରାଗଭିତ୍ତିକ ସଙ୍ଗୀତ ସେ ବିଜୁ ବାୱରା, ମଦର ଇଣ୍ଡିଆ ଏବଂ ମୁଗଲ-ଏ-ଆଜମ ଭଳି ଚଳଚିତ୍ରରେ ଗାଇଥିଲେ। ସେହିଭଳି ବରସାତ, ଏବଂ ଶ୍ରୀ ୪୨୦ରେ ଶଙ୍କର-ଜୟକିଷାନଙ୍କ ହିଟ୍ ଗୀତ ସେ ଗାଇଥିଲେ। ସଲିଲ ଚୌଧୁରୀଙ୍କ ମଧୁମତି ସିନେମାର ଆଜା ରେ ପରଦେଶୀ.. ଗୀତ ଗାଇ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକାଭାବେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ଏହାପରେ ‌ସେ ଆଉ ତିନିଟି ଫିଲ୍କଫେୟାର ଆୱାର୍ଡ ମଧ୍ୟ ପାଇଥିଲେ। ସେହି ସିନେମାଗୁଡ଼ିକ ହେଲା ବିଶ୍ ସାଲ୍‌ ବାଦ୍‌, ଖାନ୍‌ଦାନ୍‌ ଏବଂ ଜିନେ କି ରାହା। ଏଥିସହିତ ଲତା ମଧ୍ୟ ‌ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ତିନିଟି ନ୍ୟାସନାଲ ଆୱାର୍ଡ ପାଇଛନ୍ତି। ପରିଚୟ, କୋରା କାଗଜ ଏବଂ ଲେକିନ ସିନେମା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ସେ କଣ୍ଠଦାନ କରିଥିବା ଅନ୍ୟ ସ୍ମରଣୀୟ ସିନେମାଗୁଡ଼ିକ ମଧ୍ୟରେ ରହିଛି ପାକିଜା, ଅଭିମାନ, ଅମର ପ୍ରେମ, ଆନ୍ଧି, ସିଲ୍‌ସିଲା, ଚାନ୍ଦନି, ସାଗର, ରୁଦାଲି, ଦିଲ‌ୱାଲେ ଦୁଲହନିଆ ଲେ ‌ଜା‌‌ୟେଙ୍ଗେ। ଲତା ତାଙ୍କ ଜୀବନରେ ଗାଇଥିବା ସଙ୍ଗୀତଗୁଡ଼ିକ ମଧ୍ୟରେ ତାଙ୍କୁ ଯେଉଁ ସଙ୍ଗୀତଟି ଅଧିକ ଲୋକପ୍ରିୟ କରିଛି ତାହା ହେଉଛି ଦେଶଭକ୍ତିର ଗୀତ- ଅୟ ମେରେ ୱତନ କେ ଲୋଗୋ..। ୧୯୯୨ ଭାରତ-ଚୀନ ଯୁଦ୍ଧରେ ସହିଦ ସୈନିକଙ୍କ ଉଦ୍ଦେଶ୍ୟରେ ଉକ୍ତ ଗୀତଟି ନୂଆଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ୧୯୬୩ ମସିହା ସାଧାରଣତନ୍ତ୍ର ଦିବସରେ ଗାଇଥିଲେ। ରାଷ୍ଟ୍ରପତି ଏସ୍ ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଉପସ୍ଥିତିରେ ସେ ଏହି ଗୀତ ଗାଇ ପ୍ରସିଦ୍ଧି ଅର୍ଜନ କରିଥିଲେ। କେତେକ ମରାଠୀ ସିନେମାର ସେ ସ୍ବର ସଂଯୋଜନା କରି ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ୧୯୬୫ ମସିହାରେ ସାଧି ମାନସି ପାଇଁ ପାଇଥିଲେ। ସେ ଯେଉଁ କେତେକ ସିନେମା ପ୍ରୟୋଜନା କରିଛନ୍ତି ସେଥିରେ ୯୦ ଦଶକର ସିନେମା ଲେକିନ୍ ରହିଛି। ସେଥିରେ ସେ କଣ୍ଠଦାନ ମଧ୍ୟ କରିଛନ୍ତି।

ଲତାଙ୍କର ସୁମଧୁର ସ୍ବର ସବୁଦିନ ପାଇଁ ଉଜ୍ଜୀବିତ ରହିବ, ସ୍ବର୍ଗରେ ଗୁଞ୍ଜରିତ ହେବ
ରାଷ୍ଟ୍ରପତି

ଉତ୍ତର ପିଢ଼ି ତାଙ୍କୁ ଭାରତୀୟ ସଂସ୍କୃତିର ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଭାବେ ମନେ ରଖିବେ
ପ୍ରଧାନମନ୍ତ୍ରୀ

ଲତା ମଙ୍ଗେସକର ଆମ ସାମୂହିକ ଚେତନାରେ ଏକ ଶୂନ୍ୟ ସ୍ଥାନ ଛାଡ଼ି ଚାଲିଗଲେ
ମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର