ଲତାଙ୍କ ଶେଷଯାତ୍ରା: ଶିବାଜୀ ପାର୍କରେ ଶେଷକୃତ୍ୟ ସଂପନ୍ନ, ଶୋକରେ ବୁଡ଼ିଲା ଦେଶ

କିଂବଦନ୍ତି ଗାୟିକା ଲତା ମଙ୍ଗେସକରଙ୍କ ପରଲୋକରେ ଦେଶ ସ୍ତବ୍ଧ ହୋଇଯାଇଛି। ତାଙ୍କ ସମ୍ମାନାର୍ଥେ ଦୁଇଦିନ ବ୍ୟାପୀ ଜାତୀୟ ଶୋକ ପାଳନ କରାଯିବା ଓ ଜାତୀୟ ପତାକା ଅର୍ଦ୍ଧନମିତ ରହିବା ନେଇ ସରକାର ଘୋଷଣା କରିଥିବା ବେଳେ ଦେଶବ୍ୟାପୀ ଶୋକ ପ୍ରକାଶ ପାଇଛି। ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଟ୍ବିଟର, ଫେସ୍‌ବୁକ୍ ଆଦିରେ ନିଜର ଶୋକ ପ୍ରକାଶ କରିଛନ୍ତି।

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି। ଲତାଙ୍କ ଶେଷକୃତ୍ୟ ଆଜି ସନ୍ଧ୍ୟା ୭ଟା ୩୦ରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମୁମ୍ବାଇ ଶିବାଜୀ ପାର୍କରେ ସଂପନ୍ନ ହୋଇଛି। ରବିବାର ସକାଳ ୮ଟା ୧୨ରେ ଲତାଙ୍କର ପରଲୋକ ହେବା ପରେ ବ୍ରିଚ୍‌କାଣ୍ଡି ହସ୍ପିଟାଲରୁ ତାଙ୍କ ମର ଶରୀରକୁ ପ୍ରଭୁକୁଂଜ ସ୍ଥିତ ବାସଭବନକୁ ନିଆଯାଇଥିଲା। ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅପରାହ୍ନରେ ପାର୍ଥିବ ଶରୀରକୁ ବାସଭବନରୁ ଶିବାଜୀ ପାର୍କକୁ ହଜାର ହଜାର ଶୋକାକୁଳ ଜନତାଙ୍କ ଗହଣରେ ଅଣାଯାଇଥିଲା। ଲତାଙ୍କ ପାର୍ଥିବ ଶରୀରକୁ ଫୁଲରେ ସଜା ଯାଇଥିବା ଏକ ଟ୍ରକ୍‌ରେ ଶିବାଜୀ ପାର୍କକୁ ନେବାବେଳେ ରାସ୍ତାସାରା ଲୋକେ ଭାବପୂର୍ଣ୍ଣ ଶ୍ରଦ୍ଦାଞ୍ଜଳି ଜଣାଇଥିଲେ। ଶିବାଜୀ ପାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଏନ୍‌ସିପି ନେତା ଶରଦ ପାୱାର କେନ୍ଦ୍ର ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ବଲିଉଡ୍‌ କଳାକାର ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମେତ ସର୍ବସାଧାରଣ ଶେଷ ଦର୍ଶନ କରିଥିଲେ। ଲତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ ପରେ ପ୍ରଧାନମନ୍ତ୍ରୀ ମଙ୍ଗେସକର ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ବନ୍ଦୋବସ୍ତରେ ପ୍ରାୟ ୨୭୦୦ ପୁଲିସ କର୍ମୀ ଏବଂ ୨୦ ଜଣ ଡିସିପି ରୢାଙ୍କ୍‌ର ଅଫିସର ନିୟୋଜିତ ଥିଲେ।

କିଂବଦନ୍ତି ଗାୟିକା ତଥା ଭାରତୀୟ ସିନେମା ଜଗତର ବୁଲ୍‌ବୁଲ୍‌ ଲତା ମଙ୍ଗେସକରଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ସଂଗୀତପ୍ରେମୀଙ୍କ ହୃଦୟର ଦେବୀ ଲତାଙ୍କ ବିୟୋଗରେ ଭାରତ ତା’ର ‘ସ୍ବର’କୁ ହରାଇଦେଲା।
 ଭେଙ୍କିଆ ନାଇଡ଼ୁ, ଉପରାଷ୍ଟ୍ରପତି
କୋକିଳକଣ୍ଠୀ ଗାୟିକା ଲତା ମଙ୍ଗେସକରଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା। ତାଙ୍କର ସୁମଧୁର ସ୍ବର ଆଉ ଶୁଣିବାକୁ ମିଳିବନି ଜାଣିବା ପରେ ମୁଁ ଗଭୀର ମର୍ମାହତ। ତାଙ୍କ ହୃଦୟସ୍ପର୍ଶୀ ଦେଶାତ୍ମବୋଧକ ଗୀତଗୁଡ଼ିକ ସମସ୍ତଙ୍କର ପ୍ରିୟ ଥିଲା।
 ସୋନିଆ ଗାନ୍ଧି, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା
ଦେଶର ଗର୍ବ ଏବଂ ସଙ୍ଗୀତ ଜଗତର ଶିରୋମଣି ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ପବିତ୍ର ଆତ୍ମାକୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି। ତାଙ୍କର ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସେ ସବୁବେଳେ ସଂଗୀତ ପ୍ରେମୀଙ୍କ ପାଇଁ ଏକ ପ୍ରେରଣା ଥିଲେ।
 ନୀତୀନ ଗଡ଼କରୀ, ସଡ଼କ-ପରିବହନ ଓ ରାଜପଥ ମନ୍ତ୍ରୀ
ଲତା ମଙ୍ଗେସକର ଆଉ ନାହାନ୍ତି। କେଇ ପିଢ଼ି ଧରି ଭାରତୀୟମାନେ ତାଙ୍କ ଗୀତକୁ ଭଲ ପାଇ ଆସିଛନ୍ତି। ସେଗୁଡ଼ିକ ଚିରସବୁଜ ହୋଇ ରହିବ। ସେ ସଂଗୀତ ପାଇଁ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ତାଙ୍କ ପରିବାରପରିଜନ ଓ ଶୁଭେଚ୍ଛୁମାନଙ୍କୁ ସମବେଦନା ଜଣାଉଛି।
 ନିର୍ମଳା ସୀତାରମଣ, ଅର୍ଥମନ୍ତ୍ରୀ:
ସ୍ବର କୋକିଳା ଲତା ମେଙ୍ଗସକରଙ୍କ ବିୟୋଗରେ ଭାରତ ନିଜର ‘ସ୍ବର’ ହରାଇଲା। ଲତାଜୀ ସାରା ଜୀବନ ସ୍ବର ଓ ସୁରର ସାଧନା କରିଥିଲେ। ତାଙ୍କ ମୃତ୍ୟୁ କଳା ଓ ସଂସ୍କୃତି ଜଗତକୁ ବହୁତ ବଡ଼ କ୍ଷତି। ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ମୁଁ ସମାବେଦନା ଜଣାଉଛି।
 ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ
ମୁଁ ଲତାଜୀଙ୍କୁ ତାଙ୍କ ପରିବାର ଲୋକଙ୍କ ଆଖିରେ ଦେଖିବାର ସୁଯୋଗ ପାଇଥି‌ଲି, ଯେଉଁମାନେ ତାଙ୍କର ନିଃସ୍ବାର୍ଥ ଭଲପାଇବା ଓ ଯତ୍ନର ଭୁରିଭୁରି ପ୍ରଶଂସା କରିଥିଲେ। ମୁଁ ତାଙ୍କ ପରିବାର ଓ କୋଟି କୋଟି ପ୍ରଶଂସକଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି।
 ସ୍ମୃତି ଇରାନୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ:
ଲତାଜୀ ଅନେକ ଦଶନ୍ଧି ଧରି ଲୋକଙ୍କ ପ୍ରିୟ ଗାୟିକା ଭାବେ ରହିଆସିଥିଲେ। ତାଙ୍କର ସ୍ବର୍ଗୀୟ ସ୍ବର ତାଙ୍କ ପ୍ରଶଂସକମାନଙ୍କ ହୃଦୟରେ ସଦା ଝଂକୃତ ହେଉଥିବ।
 କଂଗ୍ରେସ ନେତା ରାହୁଲ ଗାନ୍ଧି
ଭାରତ ରତ୍ନ ସ୍ବର କୋକିଳା ଆଦରଣୀୟା ଲତା ମଙ୍ଗେସକରଙ୍କ ପରଲୋକ ଦେଶ ପାଇଁ ଅପୂରଣୀୟ କ୍ଷତି। ପରମାତ୍ମା ଦିବଂଗତ ପୁଣ୍ୟାତ୍ମାକୁ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକାକୁଳ ପରିଜନଙ୍କୁ ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ।
 ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ଭାରତ ରତ୍ନ ଆଦରଣୀୟା ଲତା ମଙ୍ଗେସକରଙ୍କ ନିଧନ ଅତ୍ୟନ୍ତ ଦୁଃଖଦ ଓ କଳା ଜଗତ ପାଇଁ ଅପୂରଣୀୟ କ୍ଷତି। ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରୁଛି ସେ ଦିବଂଗତ ଆତ୍ମାକୁ ଚରଣରେ ସ୍ଥାନ ଦିଅନ୍ତୁ।
 ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
ଭାରତର ବୁଲ୍‌ବୁଲ୍ ଲତା ମଙ୍ଗେସକର ଚାଲିଯିବା ଖବର ମୋତେ ମର୍ମାହତ କରିଛି। ୮ ଦଶନ୍ଧି ଧରି ସେ ନିଜର ସ୍ବର ଦ୍ବାରା କୋଟି ହୃଦୟ ଜୟ କରିଆସିଥିଲେ।
 ଏମ୍‌କେ ଷ୍ଟାଲିନ୍‌, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ
ଲତା ଦିଦି ମୋତେ ଗୋଟିଏ ଲକେଟ ଦେଇଥିଲେ, ଯାହାକୁ ମୁଁ ନ ପିନ୍ଧି ସାଇତି ରଖିଛି। ମୁଁ ତାଙ୍କୁ ବଙ୍ଗ ବିଭୂଷଣ ଉପାଧି ଦେବି ବୋଲି ପଶ୍ଚିମବଙ୍ଗକୁ ନିମନ୍ତ୍ରଣ କରିଥିଲି। ଏହା ଶୁଣି ସେ ଖୁସି ହେଲେ କିନ୍ତୁ ଦୁର୍ବଳ ସ୍ବାସ୍ଥ୍ୟ ଯୋଗୁ ଆସିପାରିବେ ନାହିଁ ବୋଲି କହିଲେ। ତାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ମୁଁ ତାଙ୍କୁ ଅନ୍ତରରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
 ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
କିମ୍ବଦନ୍ତୀ ଗାୟିକା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ବିୟୋଗରେ ଉପମହାଦେଶୀୟ ସଂଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କୋଟି ଭାରତୀୟଙ୍କ ହୃଦୟରେ ସେ ସଦା ଜୀବିତ ରହିବେ।
 ଶେଖ ହାସିନା, ବାଂଲାଦେଶ ପ୍ରଧାନମନ୍ତ୍ରୀ
ଦିବଂଗତ ମହାନ ଗାୟିକା ଲତା ମଙ୍ଗେସକରଙ୍କୁ ମୁଁ ଅନ୍ତରରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଅନେକ ନେପାଳୀ ଗୀତକୁ ନିଜ ସୁମଧୁର ସ୍ବରରେ ସଜାଇଥିବା ପ୍ରଖ୍ୟାତ ଗାୟିକାଙ୍କ ବିୟୋଗ ଖବରରେ ମୁଁ ଅତ୍ୟନ୍ତ ଦୁଃଖୀ।
 ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ

ସମ୍ବନ୍ଧିତ ଖବର