ଦେଶରେ ଏକାଦଶ କୃଷି ଗଣନାର ଶୁଭାରମ୍ଭ

ନୂଆଦିଲ୍ଲୀ : ସାରା ଦେଶରେ ଗୁରୁବାର ଦିନ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏକାଦଶ କୃଷି ଗଣନା (୨୦୨୧-୨୨)ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ତୋମର କହିଥିଲେ ଯେ ଏହି ହିସାବ ଭାରତ ଭଳି ବିଶାଳ ଏବଂ କୃଷିପ୍ରଧାନ ଦେଶ ପାଇଁ ବ୍ୟାପକ ଲାଭ ଆଣିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୃଷକମାନଙ୍କର ଅମଳ ବୃଦ୍ଧି କରିବା ସହିତ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା, କ୍ଷୁଦ୍ର କୃଷକମାନଙ୍କୁ ସଙ୍ଗଠିତ କରି ସେମାନଙ୍କର ଶକ୍ତି ବୃଦ୍ଧି କରିବା, ସେମାନଙ୍କୁ ଲାଭଦାୟକ ଫସଲ ଆଡକୁ ଆକର୍ଷିତ କରିବା ତଥା ଉତ୍ପାଦନର ଗୁଣବତ୍ତା ବୈଶ୍ୱିକ ମାନ ଅନୁରୂପ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। କାର୍ଯ୍ୟକ୍ରମରେ ତୋମର କୃଷି ଗଣନା ନିମନ୍ତେ ଶୁଭ କାମନା ପ୍ରକାଶ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିଆ ଯାଇଥିବା ପଦକ୍ଷେପର ଫଳ କୃଷି କ୍ଷେତ୍ରକୁ ମିଳିବାରେ ଲାଗିଛି। ଆମ ଦେଶ ଦ୍ରୁତଗତିରେ ଡିଜିଟାଲ୍ କୃଷି ଆଡକୁ ବଢ଼ିବାରେ ଲାଗିଛି। ଏହି କୃଷି ଜନଗଣନାରେ ପ୍ରଯୁକ୍ତିର ସମ୍ପୂର୍ଣ୍ଣ ବ୍ୟବହାର କରାଯିବା ଉଚିତ।

ଏହି ଅବସରରେ ତୋମାର ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକର ବ୍ୟବହାର ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶାବଳୀ ଥିବା ପୁସ୍ତିକାର ଉନ୍ମୋଚନ କରିଛନ୍ତି, ସଙ୍ଗେ ସଙ୍ଗେ ତଥ୍ୟ ସଂଗ୍ରହ ପୋର୍ଟାଲ୍/ଆପ୍‌ର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ସୁଶୋଭା କରନ୍ଦଲାଜେ ଏବଂ କଲ୍ୟାଣ ଚୌଧୁରୀ, କୃଷି ସଚିବ ମନୋଜ ଆହୁଜା, ଅତିରିକ୍ତ ସଚିବ ଏବଂ ବିତ୍ତୀୟ ପରାମର୍ଶଦାତା ସଂଜୀବ କୁମାର ତଥା ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
କୃଷି ଜନଗଣନା ୫ ବର୍ଷରେ ଥରେ କରା ଯାଇଥାଏ, ଯାହା କରୋନା ମହାମାରୀ କାରଣରୁ ବାଧାପ୍ରାପ୍ତ ହୋଇଥିଲା। କୃଷି ଜନଗଣନା ଅଗଷ୍ଟରେ ଆରମ୍ଭ ହେବ। ଏହା ଅପେକ୍ଷାକୃତ ସୂକ୍ଷ୍ମ ସ୍ତରରେ ବିଭିନ୍ନ ପ୍ରକାର କୃଷିର ମାନଦଣ୍ଡ ଉପରେ ସୂଚନାର ମୁଖ୍ୟ ଉତ୍ସ, ଯେମିତିକି ପ୍ରଚଳିତ ଯୋଜନାର ସଂଖ୍ୟା ଏବଂ କ୍ଷେତ୍ର, ତାହାର ଆକାର, ଶ୍ରେଣୀ-ଭିତ୍ତିକ ବିତରଣ, ଜମିର ବ୍ୟବହାର, ଭାଗ ଚାଷ ପାଇଁ ଦେବା ଏବଂ ଫସଲ ଉତ୍ପାଦନ କରିବା ପଦ୍ଧତି ଇତ୍ୟାଦି। ପ୍ରଥମ ଥର ପାଇଁ କୃଷି ଜନଗଣନା ନିମନ୍ତେ ତଥ୍ୟ ସଂଗ୍ରହ ସ୍ମାର୍ଟ ଫୋନ୍ ଓ ଟାବଲେଟ୍ ମାଧ୍ୟମରେ କରାଯିବ, ଯେଉଁଥିରେ ଠିକ୍ ସମୟରେ ତଥ୍ୟ ଉପଲବ୍ଧ ହୋଇପାରିବ। ଅଧିକାଂଶ ରାଜ୍ୟ ନିଜର ଭୂ-ଅଭିଲେଖ ଏବଂ ସର୍ବେକ୍ଷଣଗୁଡ଼ିକର ଡିଜିଟାଲୀକରଣ କରି ସାରିଛନ୍ତି, ଯେଉଁଥିରେ କୃଷି ଜନଗଣନା କ୍ଷେତ୍ରରେ ଆହୁରି କ୍ଷିପ୍ରତା ଦେଖା ଯିବ।

ସମ୍ବନ୍ଧିତ ଖବର