୨ ଦିନରେ ମୋଦୀଙ୍କ ୪ ଦକ୍ଷିଣ ରାଜ୍ୟ ଗସ୍ତ: ବେଙ୍ଗାଲୁରୁରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରଠାରୁ ଦକ୍ଷିଣ ଭାରତୀୟ ରାଜ୍ୟ ଗସ୍ତରେ ଅଛନ୍ତି । ୨ ଦିନରେ ମୋଦୀ ୪ଟି ଦକ୍ଷିଣ ଭାରତୀୟ ରାଜ୍ୟ ଗସ୍ତ କରିବେ। ପ୍ରଥମ ଦିନରେ ମୋଦୀ କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ଗସ୍ତ କରିଛନ୍ତି। ‌ମୋଦୀ ଶୁକ୍ରବାର ସକା‌ଳେ କର୍ଣ୍ଣାଟକରୁ ତାଙ୍କ ଗସ୍ତ ଆରମ୍ଭ କରିଛନ୍ତି। କର୍ଣ୍ଣାଟକରେ ପ୍ରଥମେ ମୋଦୀ ରାଜ୍ୟ ସଚିବାଳୟ ବିଧାନ ସୌଧରେ ସନ୍ଥ କବି କନକ ଦାସ ଏବଂ ମହର୍ଷୀ ବାଲ୍ମିକୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଏହାପରେ ମୋଦୀ କ୍ରାନ୍ତିବୀର ସାଙ୍ଗୋଲି ରାୟନ୍ନା (କେଏସଆର) ରେଳ ଷ୍ଟେସନ୍‌ରେ ମହୀଶୁର-ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ଏହା ଦେଶର ପଞ୍ଚମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଏବଂ ଦକ୍ଷିଣ ଭାରତରେ ପ୍ରଥମ। ‌ମୋଦୀ ମଧ୍ୟ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ଏହାପରେ ମୋଦୀ ସହରର ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେଗୌଡ଼ାଙ୍କର ୧୦୮ ଫୁଟ୍‌ର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରର ଟର୍ମିନାଲ ୨ ମୋଦୀ ଉଦ୍‌ଘାଟନ କରିଛନ୍ତି। ୫ ହଜାର କୋଟି ଟଙ୍କାରେ ଏହା ନିର୍ମାଣ ହୋଇଛି। କର୍ଣ୍ଣାଟକରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୬ ମାସରୁ କମ୍‌ ସମୟ ବାକିଥିବା ଏବଂ ବିଭିନ୍ନ ଦକ୍ଷିଣ ରାଜ୍ୟରେ ଶାସକ ଦଳ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା‌ବେଳେ ଏହି ସମୟରେ ମୋଦୀଙ୍କ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

ମୋଦୀ ଏକ ଟ୍ବିଟ୍‌ କରି କହିଛନ୍ତି, ୨ ଦିନ ମଧ୍ୟରେ ମୁଁ ଦକ୍ଷିଣରେ ୪ଟି ରାଜ୍ୟ – କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଗସ୍ତ କରିବି। ଭାରତର ବିକାଶ ପଥକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ‌ଯୋଗ ଦେବି। ମୋଦୀ ଆଜି ତାମିଲନାଡ଼ୁ ମଧ୍ୟ ଗସ୍ତ କରିଛନ୍ତି। ତାମିଲନାଡ଼ୁରେ ପହଞ୍ଚିବାପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଆଜି ମୋଦୀଙ୍କୁ ସ୍ବାଗତ କରି ପାଛୋଟି ନେଇଛନ୍ତି। ମୋଦୀ ଗାନ୍ଧୀଗ୍ରାମ ରୁରାଲ ଇନଷ୍ଟିଚ୍ୟୁଟ୍‌ର ୩୬ତମ କନଭୋକେସନ୍‌ ଉତ୍ସବରେ ଉଦ୍‌ବୋଧନ ‌ଦେଇଛନ୍ତି। ଶନିବାର ମୋଦୀ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଗସ୍ତ କରିବେ। ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟନାରେ ୧୦,୫୦୦ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ। ଏହାପରେ ମୋଦୀ ତେଲେଙ୍ଗାନାରେ ୯,୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଉଲ୍ଲେଖଯୋଗ୍ୟ, କେରଳ, ତାମିଲନାଡ଼ୁ ଏବଂ ତେଲେଙ୍ଗାନାରେ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଜୋରଦାର ବିବାଦ ଲାଗି ରହିଛି।

ସମ୍ବନ୍ଧିତ ଖବର