ଯୁଦ୍ଧ ଜାହାଜ ‘ତାରାଗିରି’ର ଶୁଭାରମ୍ଭ

ନୂଆଦିଲ୍ଲୀ : ଏମ୍‌ଡିଏଲ୍ ଦ୍ୱାରା ନିର୍ମିତ ପି୧୭ଏର ପଂଚମ ଷ୍ଟେଲ୍‌ଥ ଫ୍ରିଗେଟ୍ (ଯୁଦ୍ଧ ଜାହାଜ)କୁ ସୋମବାର ଦିନ ଏନ୍‌ଡବ୍ଲ୍ୟୁଡବ୍ଲ୍ୟୁଏ (ପଶ୍ଚିମ କ୍ଷେତ୍ର)ର ଅଧ୍ୟକ୍ଷା ଚାରୁ ସିଂହ ଶୁଭାରମ୍ଭ କରିଛନ୍ତି, ଯାହାକୁ ସେ ‘ତାରାଗିରି’ ଭାବେ ନାମିତ କରିଥିଲେ। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ୧୧ ସେପ୍ଟେମ୍ବରକୁ ଭାରତରେ ଜାତୀୟ ଶୋକ ଦିବସ ଘୋଷିତ କରାଯାଇଥିଲା, ଯାହାର ଅନୁପାଳନ କରି, ଏହି କାର୍ଯ୍ୟକ୍ରମକୁ ପ୍ରଯୁକ୍ତିଗତ ଭାବେ ଆରମ୍ଭ କରାଯିବାରେ ସୀମିତ ରଖାଯାଇଥିଲା। କାରଣ ଯୁଦ୍ଧ ଜାହାଜକୁ ଲଂଚ୍ କରିବା ନିମନ୍ତେ ଜୁଆରଭଟ୍ଟାର ସ୍ଥିତି ନିହାତି ଅନୁକୂଳ ହେବା ଆବଶ୍ୟକ ହୋଇଥାଏ, ଏଥିପାଇଁ କାର୍ଯ୍ୟକ୍ରମରେ ପରିବର୍ତନ କରାଯିବାର କୌଣସି ସମ୍ଭାବନା ନ ଥିଲା। ପଶ୍ଚିମ କ୍ଷେତ୍ରର ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ୍ ଅଜେନ୍ଦ୍ର ବାହାଦୁର ସିଂହ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଥିଲେ। ଏହି ସମାରୋହରେ ଯୁଦ୍ଧ ଜାହାଜ ଉତ୍ପାଦନ ଏବଂ ଅଧିଗ୍ରହଣ ନିୟନ୍ତ୍ରକ ଭାଇସ୍ ଆଡମିରାଲ୍ କିରଣ ଦେଶମୁଖ ତଥା ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ୱାରସିପ୍ ଡିଜାଇନ୍ ବ୍ୟୁରୋ (ଡବ୍ଲ୍ୟୁଡିବି) ଏବଂ ଏମ୍‌ଡିଏଲ୍‌ର ଦଳ ଏକାଠି ହୋଇ ଅତୀତରେ ମଧ୍ୟ ଏକାଧିକ ସଫଳ ଲଂଚ୍ କରିଛନ୍ତି। ଏହାର ଶୁଭାରମ୍ଭ କରା ଯିବା ପରେ ‘ତାରାଗିରି’ ଏମ୍‌ଡିଏଲ୍‌ରେ ନିଜର ଦୁଇ ସାଥୀ ଜାହାଜ ସହିତ ସାମିଲ୍ ହେବ। ଏହା ପରେ ଏହାକୁ ସାମରିକ ଉପକରଣରେ ସଜ୍ଜିତ କରି ଭାରତୀୟ ନୌସେନାକୁ ପ୍ରଦାନ କରାଯିବ।

ସାତ ପି୧୭ଏ ଫ୍ରିଗେଟ୍ ଏମ୍‌ଡିଏଲ୍ ଏବଂ ଜିଆର୍‌ଏସ୍‌ଇରେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରୁଛି। ଷ୍ଟେଲ୍‌ଥ ଫ୍ରିଗେଟ୍ ଭଳି ପ୍ରମୁଖ ଶ୍ରେଣୀର ଜଟିଳ ଜାହାଜଗୁଡିକର ସ୍ୱଦେଶୀ ନିର୍ମାଣ ଦେଶକୁ ଜାହାଜ ନିର୍ମାଣ କ୍ଷେତ୍ରରେ ଉଚ୍ଚସ୍ଥାନ ପ୍ରଦାନ କରିଛି। ଏହା ଅନେକ ପ୍ରକାରର ଅତିରିକ୍ତ ଲାଭ ମଧ୍ୟ ପ୍ରଦାନ କରୁଛି, ଯେପରି ଆର୍ଥିକ ବିକାଶ, ଭାରତୀୟ ସିପ୍‌ୟାର୍ଡ ତଥା ଏହାର ଉପଠିକାଦାର ଏବଂ ସହାୟକ ଉଦ୍ୟୋଗଗୁଡିକରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି ହେବାରେ ଲାଗିଛି। ଏହା ସହିତ ଲଗାତାର ଭାବରେ ସେମାନଙ୍କୁ କାମ ମିଳିବାରେ ଲାଗିଛି। ଏହାପରେ ମଧ୍ୟ ପ୍ରକଳ୍ପ ୧୭ଏର ୭୫ ପ୍ରତିଶତ ଅର୍ଡର ସ୍ୱଦେଶୀ ଫାର୍ମଗୁଡିକୁ ଦିଆଯାଇଛି, ଯେଉଁଥିରେ ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡିକ ସାମିଲ୍ ଅଛନ୍ତି। ଏହିଭଳି ଭାବରେ ଦେଶର ‘ଆତ୍ମ ନିର୍ଭର ଭାରତ’ର ପ୍ରକଳ୍ପକୁ ଶକ୍ତି ମିଳିବାରେ ଲାଗିଛି।

ଏହି ଅବସରରେ ଭାଇସ୍ ଆଡମିରାଲ୍ ଅଜେନ୍ଦ୍ର ବାହାଦୁର ସିଂହ, ଏଫ୍‌ଓସି-ଇନ୍-ସି, ପଶ୍ଚିମ ନୌସେନା କମାଣ୍ଡ ମଝଗାଓଁ ଡକ୍ ସିପ୍‌ବିଲ୍ଡର୍ସ ଲିମିଟେଡ୍‌, ୱାରସିପ୍ ଡିଜାଇନ୍ ବ୍ୟୁରୋ ଏବଂ ଅନ୍ୟ ନୌସେନା ଦଳଗୁଡିକର ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ, ଏହି ସମସ୍ତ ଯୁଦ୍ଧ ଜାହାଜ ନିର୍ମାଣ ଦେଶର ଆତ୍ମନିର୍ଭରତାର ଭାବନାକୁ ଶକ୍ତି ପ୍ରଦାନ କରିଛି।

ସମ୍ବନ୍ଧିତ ଖବର