କୋଲକାତା: ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ଜଲପାଇଗୁଡ଼ି ଜିଲ୍ଲାରେ ଗତକାଲି ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡ଼ି ବିଧାୟକ ଶଙ୍କର ଘୋଷଙ୍କ ଉପରେ ଆକ୍ରମଣର ଦିନକ ପରେ ଆଜି ପୁଣି ବିଜେପି ବିଧାୟକ ମନୋଜ କୁମାର ଓରାଓଁଙ୍କ ଉପରେ ଆକ୍ରମଣ ହୋଇଛି। କୁମାରଗ୍ରାମ ନିର୍ବାଚନମଣ୍ଡଳୀରେ ମନୋଜ କୁମାର ବନ୍ୟା ରିଲିଫ୍ ସାମଗ୍ରୀ ବାଣ୍ଟୁଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ମନୋଜ କୁମାର ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ କହିଛନ୍ତି, ବନ୍ୟା ପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇଥିବା ବେଳେ ମୋ ଉପରେ ଟିଏମ୍ସି କର୍ମୀମାନେ ଅତର୍କିତ ଆକ୍ରମଣ କରିଛନ୍ତି। କିନ୍ତୁ ଟିଏମ୍ସି ଏହି ଅଭିଯୋଗକୁ ଭିତ୍ତିହୀନ କହି ପ୍ରତ୍ୟାଖ୍ୟାନ କରିଛି। ପଶ୍ଚିମବଙ୍ଗ ବିଜେପି ଏହି ଆକ୍ରମଣକୁ କଡ଼ା ନିନ୍ଦା କରି ଏହାକୁ ଟିଏମ୍ସି ଶାସନର ‘ଆତଙ୍କ ରାଜନୀତି’ ବୋଲି କହିଛି।
ହସ୍ପିଟାଲ୍ରେ ଆହତ ସାଂସଦଙ୍କୁ ଭେଟିଲେ ମମତା
ଟିଏମ୍ସି ‘ଆତଙ୍କ ରାଜନୀତି’ ଚଳାଇଛି: ବିଜେପି
ଇତିମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ସିଲିଗୁଡ଼ି ହସ୍ପିଟାଲ ଯାଇ ସେଠାରେ ଚିକିତ୍ସାଧୀନ ଥିବା ବିଜେପି ସାଂସଦ ଖଗେନ ମୁର୍ମୁଙ୍କୁ ଭେଟିଛନ୍ତି। କିନ୍ତୁ ସେ ବିଜେପି ବିଧାୟକ ଶଙ୍କର ଘୋଷଙ୍କୁ ଭେଟିନାହାନ୍ତି କି ତାଙ୍କ ସଂପର୍କରେ କୌଣସି ବୟାନ ଦେଇନାହାନ୍ତି। ମମତା ଆଇସିୟୁ କ୍ୟାବିନ୍ରେ ମୁର୍ମୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି କଥା ହୋଇଛନ୍ତି। ମମତା କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତ। ସେ ଆହତ ହୋଇଥିବା ଶୁଣି ତାଙ୍କୁ ଦେଖିବାକୁ ଆସିଲି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ନାହିଁ ବୋଲି ସେ କହିଛନ୍ତି। ମମତାଙ୍କ ବୟାନକୁ ଅତ୍ୟନ୍ତ ବେପରୁଆ ବୋଲି ବିଜେପି କହିଛି।