ନୂଆଦିଲ୍ଲୀ: ଆଜି ରାଜ୍ୟଗୋଷ୍ଠୀ ଆଟର୍ଣ୍ଣି ଓ ସଲିସିଟର ଜେନେରାଲ ସମ୍ମିଳନୀ ୨୦୨୪ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇନ ବ୍ୟବସ୍ଥା ଉପରେ ପୁନର୍ବିଚାର, ପୁନଃକଳ୍ପନା ଓ ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସରକାରୀ ଆଇନ ଅଧିକାରୀମାନେ ସାମ୍ପ୍ରତିକ ରାଜନୀତି ଦ୍ବାରା ପ୍ରଭାବିତ ନହେବା ଜରୁରୀ ଏବଂ ସେମାନେ ଅଦାଲତରେ ସମ୍ମାନର ସହ ଆଚରଣ କରିବା ଉଚିତ। ସେମାନେ ସରକାରଙ୍କୁ ଜିତାଇବା ଅପେକ୍ଷା ଲୋକଙ୍କୁ ନ୍ୟାୟ ଦେବା ଉପରେ ଗୁରୁତ୍ବ ପ୍ରଦାନ କରିବା ଆବଶ୍ୟକ ବୋଲି ପ୍ରଧାନବିଚାରପତି କହିଥିଲେ।

Advertisment

ଆଇନ ବ୍ୟବସ୍ଥାରେ ପୁନର୍ବିଚାର, ପୁନଃକଳ୍ପନା ଓ ସଂସ୍କାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଆଟର୍ଣ୍ଣି ଜେନେରାଲ ଏବଂ ରାଜ୍ୟର ଆଡ୍‌ଭୋକେଟ ଜେନେରାଲଙ୍କଠାରୁ ଆରମ୍ଭ କରି ସଲିସିଟର ଜେନେରାଲ, ଅତିରିକ୍ତ ସଲିସିଟର ଜେନେରାଲ ଓ ଅତିରିକ୍ତ ଆଡଭୋକେଟ ଜେନେରାଲଙ୍କ ଭଳି ଆଇନ ଅଧିକାରୀମାନେ ଅଦାଲତ ଓ ସରକାରଙ୍କ ମଧ୍ୟରେ ଯୋଗାଯୋଗର ମାଧ୍ୟମ। ସେମାନେ ଉଭୟ ଅଦାଲତ ଭିତରେ ଓ ବାହାରେ ଦୃଷ୍ଟାନ୍ତମୂଳକ ଆଚରଣ କରି ଆଇନଜୀବୀ ବୃତ୍ତିର ସମ୍ମାନ ବଜାୟ ରଖିବା ଉଚିତ ବୋଲି ପ୍ରଧାନବିଚାରପତି କହିଛନ୍ତି। ୧୯୮୯ ମସିହାରେ ଭାରତର ସର୍ବୋଚ୍ଚ ଆଇନ ଅଧିକାରୀ ଭାବେ ସୋଲି ସୋରାବଜୀଙ୍କୁ ଆଇନ ବିଶେଷଜ୍ଞ ନାନୀ ପାଲଖିୱାଲା ଲେଖିଥିବା ଚିଠିରୁ ଉଦ୍ଧାର କରି ପ୍ରଧାନବିଚାରପତି କହିଥିଲେ, ଆଟର୍ଣ୍ଣି ଜେନେରାଲଙ୍କ ସବୁଠାରୁ ବଡ଼ ଗୌରବ ହେଉଛି ସରକାରଙ୍କ ପାଇଁ ମାମଲା ଜିତିବା ନୁହେଁ ବରଂ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା। ବୈଧ ମାମଲା ନ ଥିବା ବେଳେ ସରକାରଙ୍କୁ ଜଣାଇବା ଆଇନ ଅଧିକାରୀଙ୍କ କର୍ତ୍ତବ୍ୟ। ସେମାନେ କେବଳ ସରକାରଙ୍କ ପ୍ରତିନିଧି ଭାବରେ ନୁହେଁ ବରଂ ଅଦାଲତର ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି ବୋଲି ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି।

ପ୍ରଧାନମନ୍ତ୍ରୀ ଓ ପ୍ରଧାନବିଚାରପତି ଶନିବାର ରାଜ୍ୟଗୋଷ୍ଠୀ ଆଟର୍ଣ୍ଣି ଓ ସଲିସିଟର ଜେନେରାଲ ସମ୍ମିଳନୀ ୨୦୨୪ରେ ଉଦ୍‌ବୋଧନ ଦେଇଥିଲେ। ଏହି ସମ୍ମିଳନୀରେ ଏସିଆ-ପ୍ରଶାନ୍ତ ମହାସାଗର, ଆଫ୍ରିକା ଏବଂ କ୍ୟାରିବିଆନର ରାଜ୍ୟଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ଆଟର୍ଣ୍ଣି ଜେନେରାଲ ଓ ସଲିସିଟରଙ୍କ ସମେତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିନିଧି ଦଳ ଅଂଶଗ୍ରହଣ କରିଥିଲେ। ‘ନ୍ୟାୟ ପ୍ରଦାନରେ ସୀମାପାର ଚ୍ୟାଲେଞ୍ଜ’ ଶୀର୍ଷକ ଆଲୋଚନାଚକ୍ରରେ ମୋଦୀ କହିଥିଲେ ଯେ ଦେଶଗୁଡ଼ିକ ପରସ୍ପରର କ୍ଷେତ୍ରକୁ ସମ୍ମାନ ଦେଇ ତଦନ୍ତ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ଆବଶ୍ୟକ। ସାମ୍ପ୍ରତିକ ସମୟରେ ଅପରାଧର ପ୍ରକୃତି ଓ ପରିସରରେ ପରିବର୍ତ୍ତନ ହେବା, ବହୁରାଷ୍ଟ୍ରୀୟ ଆପରାଧିକ ନେଟୱାର୍କ, ଅପରାଧ ପାଇଁ ପାଣ୍ଠି ଯୋଗାଣ ଓ ଆପରାଧିକ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଥିଲେ। ଗୋଟିଏ ଅଞ୍ଚଳରେ ଅର୍ଥନୈତିକ ଅପରାଧକୁ ଅନ୍ୟ ଅଞ୍ଚଳରେ ଅପରାଧ ପାଇଁ ପାଣ୍ଠି ଯୋଗାଣ ଲାଗି ବ୍ୟବହାର କରାଯାଉଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କ୍ରିପ୍ଟୋକରେନ୍ସି ଓ ସାଇବର ବିପଦର ଆହ୍ୱାନ ଉପରେ ଆଲୋକପାତ କରିଥିଲେ। ଏକବିଂଶ ଶତାବ୍ଦୀର ସମସ୍ୟାକୁ ବିଂଶ ଶତାବ୍ଦୀର ଆଭିମୁଖ୍ୟରେ ମୁକାବିଲା କରାଯାଇ ପାରିବ ନାହିଁ ବୋଲି କହି ମୋଦୀ ଆଇନ ବ୍ୟବସ୍ଥା ଉପରେ ପୁନର୍ବିଚାର, ପୁନଃକଳ୍ପନା ଓ ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ।