ରାଞ୍ଚି : ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ସଂଗ୍ରାମପୁର ଗ୍ରାମରେ ଜଣେ ଆଇନ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଇଦିନ ତଳେ ଏହି ଘଟଣା ଘଟିଛି। ଜଣେ ୨୫ ବର୍ଷୀୟା ଆଇନ ଛାତ୍ରୀଙ୍କୁ ରାଞ୍ଚିର ରିଙ୍ଗ୍‌ ରୋଡ୍‌ରୁ ପ୍ରାୟ ୧୨ ଜଣ ବନ୍ଧୁକ ମୁନରେ ଅପହରଣ କରିନେବା ପରେ ନିକଟସ୍ଥ ଏକ ଇଟାଭାଟିରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଉକ୍ତ ଘଟଣା ସଂକ୍ରାନ୍ତରେ ଗତ ବୁଧବାର ଦିନ କାଙ୍କେ ପୁଲିସ ‌‌‌ଷ୍ଟେସନ୍‌ରେ ଅଭିଯୋଗ କରିବା ପରେ ପୁଲିସ ଏ ନେଇ ଏସ୍‌ସିଏସ୍‌ଟି ଆଇନ ଏବଂ ଆଇପିସିର ଧାରା ୧୨୦ ବି ଏବଂ ୩୭୬ ଡି ଅଧୀନରେ ଏଫ୍‌ଆଇଆର ରୁଜୁ କରିଛି। ରାଞ୍ଚି ପୁଲିସ ଉକ୍ତ ଘଟଣାରେ ଆଜି ୧୨ ଜଣଙ୍କୁ ଗିରଫ କରିଛି ଏବଂ ମାମଲାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରଖିଛି। ରାଞ୍ଚି ଏସ୍‌ପି ରିସବ୍‌ ଝା କହିଛନ୍ତି, ମାମଲାରେ ଗିରଫ ହୋଇଥିବା ୧୨ ଜଣ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ କାର୍‌, ବାଇକ୍‌, ୮ଟି ମୋବାଇଲ ଫୋନ୍‌, ଏବଂ ପୀଡ଼ିତାଙ୍କ ନଷ୍ଟ ହୋଇଯାଇଥିବା ଫୋନ୍‌ ମଧ୍ୟ ଜବତ ହୋଇଛି। ଏସ୍‌ପି ଝା କହିଛନ୍ତି କୌଣସି ବି ଦୋଷୀ ଛାଡ଼ ପାଇବେ ନାହିଁ। ଉକ୍ତ ମାମଲାରେ ତଦନ୍ତ ପାଇଁ ଏସଏସ୍‌ପିଙ୍କ ନିର୍ଦ୍ଦେଶ କ୍ର‌ମେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି।