ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ମାମଲାରେ ଆଭ୍ୟନ୍ତରୀଣ ତଦନ୍ତ କମିଟି ଦ୍ୱାରା ତାଙ୍କୁ କ୍ଲିନ୍ଚିଟ୍ ଦିଆଯିବା ନେଇ ଥାନେର ଜଣେ ଆଇନଜୀବୀ ଜାତୀୟ ମାନବାଧିକାର କମିସନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଆଇନଜୀବୀ ଆଦିତ୍ୟ ମିଶ୍ର ଏନେଇ ମାନବାଧିକାର କମିସନଙ୍କ ଠାରେ ଦାଖଲ କରିଥିବା ଆବେଦନରେ କହିଛନ୍ତି, ସେ ନ୍ୟାୟାଳୟର ସ୍ୱାଧୀନତା ଏବଂ ଅଭିଯୋଗକାରୀ ମହିଳାଙ୍କ ଅଧିକାରକୁ ନେଇ ଚିନ୍ତିତ। ଉକ୍ତ ମାମଲାରେ ମହିଳାଙ୍କ ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଛି କି ନାହିଁ ଜାଣିବାକୁ ସେ କମିସନଙ୍କ ହସ୍ତକ୍ଷେପ ଲୋଡିଥିବା ସୂଚନା ଦେଇଛନ୍ତି। ମିଶ୍ର କହିଛନ୍ତି, ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଉକ୍ତ ମାମଲାରେ ସଂସ୍ଥାଗତ ପକ୍ଷପାତିତା ହୋଇଥିବା ଦର୍ଶାଇବା ପରେ ସେ ଏହି ଆବେଦନ ଦାଖଲ କରିଛନ୍ତି।
ଅବସରପ୍ରାପ୍ତ ବିଚାରପତି ମଦନ ବି ଲୋକୁର୍ ମେ’ ୨୨ରେ ଏକ ଖବର କାଗଜର ସ୍ତମ୍ଭରେ ଲିଖିଥିଲେ, ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଉକ୍ତ ମହିଳାଙ୍କୁ ଉଚିତ ନ୍ୟାୟ ମିଳିନାହିଁ। ଏଥିରେ ସଂସ୍ଥାଗତ ପକ୍ଷପାତିତା ସ୍ପଷ୍ଟ ବାରିହେଉଛି। ଉକ୍ତ ମାମଲାରେ ତଦନ୍ତ ପ୍ରକ୍ରିୟା ଠିକ ହୋଇ ନାହିଁ ବୋଲି ଦର୍ଶାଇବା ସହିତ ଲୋକୁର୍ ସମ୍ପୃକ୍ତ ମହିଳାଙ୍କୁ ଆଇନଜୀବୀଙ୍କ ସହାୟତା ନେବା ପାଇଁ ଅନୁମତି ଦିଆନଯିବାକୁ ନେଇ ପ୍ରଶ୍ନ କରିଛନ୍ତି। ଯେହେତୁ ତଦନ୍ତ ଅନୌପଚାରିକ ଭାବେ କରାଯାଉଥିଲା ତେଣୁ ମହିଳା ଜଣଙ୍କୁ ଆଇନଜୀବୀଙ୍କ ସହାୟତା ନେବା ପାଇଁ ଅନୁମତି ଦିଆଯିବା ଉଚିତ ଥିଲା ବୋଲି ବିଚାରପତି ଲୋକୁର୍ କହିଥିଲେ।
ଏପ୍ରିଲ ମାସରେ ସୁପ୍ରିମ କୋର୍ଟର ଜଣେ ମହିଳା କର୍ମଚାରୀ ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ଏହା ପରେ ଜଷ୍ଟିସ୍ ଏସ୍ ବୋବ୍ଡେ, ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ତିନି ଜଣିଆ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରାଯାଇଥିଲା। ତଦନ୍ତ ପ୍ରକ୍ରିୟାରେ ଗୋଗୋଇ ସହଯୋଗ କରିଥିବା ବେଳେ ମହିଳା ଜଣକ ବିଭିନ୍ନ କାରଣ ଦର୍ଶାଇ ତଦନ୍ତ ପ୍ରକ୍ରିୟାରୁ ଓହରିଯାଇଥିଲେ। ଅଭିଯୋଗକାରୀ ମହିଳାଙ୍କ ଅନୁପସ୍ଥିତିରେ ଆଭ୍ୟନ୍ତରୀଣ କମିଟି ତଦନ୍ତ କରି ଗୋଗୋଇଙ୍କୁ ଯୌନ ନିର୍ଯାତନା ମାମଲାରେ କ୍ଲିନ୍ଚିଟ୍ ଦେଇଥିଲେ।
ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା :ମାନବାଧିକାର କମିସନଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆଇନଜୀବୀ
/sambad/media/post_attachments/wp-content/uploads/2019/05/NHRC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)