ଭିଡିଓ କନଫରେନ୍ସିଂରେ ମାମଲା ଶୁଣାଣି ବେଳେ ଟି-ସାର୍ଟ ପିନ୍ଧି ଖଟରେ ଶୋଇ ଯୁକ୍ତି ଉପସ୍ଥାପନ କରୁଥିଲେ ଓକିଲ, ବିରକ୍ତ ହେଲେ ବିଚାରପତି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଏବେ ଅଧିକାଂଶ କୋର୍ଟ ଶୁଣାଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେଉଛି । ଓକିଲମାନେ ଘରେ ଥାଇ ନିଜ ମହକିଲଙ୍କ ପାଇଁ ମାମଲା ଲଢୁଛନ୍ତି । ବିଚାରପତି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପକ୍ଷ ଶୁଣି  ଶୁଣାଣି କରୁଛନ୍ତି ଓ ରାୟ ପ୍ରଦାନ କରୁଛନ୍ତି ।

କିନ୍ତୁ ଏପରି ଏକ ଭିଡିଓ ଶୁଣାଣି ବେଳେ ଜଣେ ସୁପ୍ରିମକୋର୍ଟ ଓକିଲଙ୍କ ଅଜବ ହାବଭାବ ଦେଖି ବିଚାରପତି ଚକିତ ହୋଇଯାଇଥିଲେ ଓ ପ୍ରବଳ ବିରକ୍ତ ହୋଇଥିଲେ ।କଥା ହେଉଛି ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ଭିଡିଓ କନଫରେନ୍ସ ମାଧ୍ୟମରେ ଚାଲିଥାଏ । ବିଚାରପତି ମାମଲାର ଶୁଣାଣି କରୁଥାନ୍ତି । ଏହି ସମୟରେ ମାମଲା ଲଢୁଥିବା ଜଣେ ଓକିଲଙ୍କ ଉପରେ ବିଚାରପତିଙ୍କ ଦୃଷ୍ଟି ପଡ଼ିଗଲା । ସଂପୃକ୍ତ ଓକିଲ ଟି-ସାର୍ଟ ପିନ୍ଧି ଖଟରେ ଶୋଇବା ଅବସ୍ଥାରେ ନିଜର ଯୁକ୍ତି ଉପସ୍ଥାପନ କରୁଥିଲେ । ଏହା ଦେଖି ବିଚାରପତି ତୀବ୍ର ଅସନ୍ତୋଷ ପ୍ରକଟ କରିବା ସହ ଭିଡିଓ ଶୁଣାଣି ବେଳେ ଓକିଲମାନେ ସର୍ବନିମ୍ନ ଶାଳୀନତା ରକ୍ଷା କରିବା ଉଚିତ ବୋଲି ତାଗିଦ କରିଥିଲେ ।

ବିଚାରପତି ଏସ.ରବୀନ୍ଦ୍ର ଭାଟ କହିଥିଲେ ଯେ ଓକିଲମାନେ ନିଜ ଘରେ ବା ବ୍ୟକ୍ତିଗତ ଜୀବନରେ ଯେପରି ପରିଧାନ କରୁଛନ୍ତି, କୋର୍ଟ କାର୍ଯ୍ୟବେଳେ ତାହା ପିନ୍ଧିବା ଠିକ ନୁହେଁ । ସେହିପରି ଘରର ଆଭ୍ୟନ୍ତରୀଣ ପରିବେଶ ମଧ୍ୟ ଆପତ୍ତିଜନକ ନଥିବ । ଏହା ପରେ ସଂପୃକ୍ତ ଓକିଲ କୋର୍ଟଙ୍କ ନିକଟରେ କ୍ଷମା ମାଗିବା ପରେ ବିଚାପତି ତାଙ୍କୁ କ୍ଷମାପ୍ରାର୍ଥନା ଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର