ଇସଲାମାବାଦ୍: ଗୁଇନ୍ଦାଗିରି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ସାମ୍ନା କରୁଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଇସଲାମାବାଦ୍ ହାଇକୋର୍ଟ। କୁଳଭୂଷଣ ଯାଦବ ମାମଲାରେ ପାକ୍ ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ପିଟିସନ୍ ଉପରେ ଆଜି ଶୁଣାଣି ଥିଲା। କିନ୍ତୁ ଇସଲାମାବାଦ୍ ହାଇକୋର୍ଟ୍ ଏହି ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ କୁଳଭୂଷଣଙ୍କ ପାଇଁ ଜଣେ ଆଇନଜୀବୀ ନିଯୁକ୍ତ କରିବାପାଇଁ ଭାରତକୁ ଅନୁମତି ଦେଇଛନ୍ତି। ଆଟର୍ଣ୍ଣି ଜେନେରାଲ୍ ଖଲିଦ ଜାଭେଦ ଖାନ୍ ଗଣମାଧ୍ୟମରେ କହିଛନ୍ତି, କୋର୍ଟ୍ ଭାରତକୁ କୁଳଭୁଷଣଙ୍କ ପାଇଁ ଜଣେ ଆଇନଜୀବୀ ନିଯୁକ୍ତ କରିବାକୁ ଅନୁମତି ପ୍ରଦାନ କରୁଛନ୍ତି। କିନ୍ତୁ ଏହି ଆଇନଜୀବୀ ଭାରତୀୟ ହେବେନାହିଁ। କୋର୍ଟ କହିଛନ୍ତି, ଯଦି ଭାରତ ସରକାର କୁଳଭୂଷଣଙ୍କ ପାଇଁ ଜଣେ ଆଇନଜୀବୀ ନିଯୁକ୍ତ କରିବାକୁ ଚାହିବେ ତେବେ ସେମାନେ କରିପାରିବେ। କିନ୍ତୁ କେବଳ ଜଣେ ପାକିସ୍ତାନୀ ଆଇନଜୀବୀଙ୍କୁ ହିଁ ନିଯୁକ୍ତ କରାଯାଇପାରିବ ବୋଲି ଏଟର୍ଣ୍ଣି ଜେନେରାଲ୍ କହିଛନ୍ତି।
ଉଲ୍ଲେଖଯୋଗ୍ୟ କୁଳଭୂଷଣଙ୍କ ପାଇଁ ଜଣେ ଆଇନଜୀବୀ ନିଯୁକ୍ତ କରିବାପାଇଁ ପାକିସ୍ତାନ ସରକାର ଗତ ଜୁଲାଇ ୨୨ ତାରିଖରେ ଇସଲାମାବାଦ୍ ହାଇକୋର୍ଟ୍ରେ ଏକ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ଭାରତ ସରକାରଙ୍କ ସମେତ ମାମଲାରେ ପ୍ରମୁଖ ପକ୍ଷଙ୍କୁ ଏହି ପିଟିସନ୍ ଦାଖଲ ପୂର୍ବରୁ ଯୋଗାଯୋଗ କରାଯାଇନାହିଁ। ତେବେ ଇସଲାମାବାଦ୍ ହାଇକୋର୍ଟ୍ ଆଜି କହିଛନ୍ତି କୁଳଭୂଷଣଙ୍କ ପାଇଁ ଆଇନଜୀବୀ ନିଯୁକ୍ତ କରିବା ନେଇ ଭାରତ ସରକାରଙ୍କୁ ଆଉ ଏକ ସୁଯୋଗ ଦିଆଯାଉ। କିନ୍ତୁ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଦ୍ବାରା ଏହି ନିଯୁକ୍ତି ହେବା ଉଚିତ୍ ବୋଲି କୋର୍ଟ୍ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଗୁରୁବାର ଦିନ ଇସଲାମାବାଦ୍ ହାଇକୋର୍ଟ ଯାଦବ ମାମଲାରେ ପାକ୍ ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ରିଭ୍ୟୁ ପିଟିସନ୍ର ଶୁଣାଣି ପାଇଁ ଏକ ୨ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ। ପୂର୍ବରୁ ପାକିସ୍ତାନ ସରକାର କୁଳଭୂଷଣ ଯାଦବଙ୍କୁ ୩ ଥର ଦୂତାବାସ ସହାୟତା ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/kulbhusan-j.jpg)