ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଶେଷ ସୀମାରେ ପହଞ୍ଚିଗଲେ ଦୁହେଁ ଛାଡ଼ପତ୍ରକୁ ଏକମାତ୍ର ସମାଧାନର ବାଟ ଭାବେ ବାଛିଥାଆନ୍ତି। ତେବେ ସାମଜରେ ଛାଡ଼ପତ୍ରକୁ ସହଜରେ ଗ୍ରହଣ କରାଯାଇ ନଥାଏ। ନିକଟରେ ଛାଡ଼ପତ୍ରକୁ ନେଇ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି।
ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଅତ୍ୟଧିକ ଭଲ ପାଇବା ହେତୁ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ନିକଟରେ ଜଣେ ଓକିଲ ପ୍ରକାଶ କରିଛନ୍ତି।
ମୁମ୍ବାଇର ବାସିନ୍ଦା ତାନ୍ୟା ଉପ୍ପାଚୁ କୌଲ ଜଣେ ଓକିଲ। ସେ ସୋସିଆଲ ମିଡିଆରେ ଅନେକ ସମୟରେ ଆଇନ ସମ୍ବନ୍ଧୀୟ ବିଷୟଗୁଡ଼ିକ ବିଷୟରେ ସୂଚନା ଦେଇଥାଆନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଭିଡିଓ ସେୟାର କରିଛନ୍ତି।
ଏଥିରେ କୌଲ କହିଛନ୍ତି ଯେ, ଛାଡପତ୍ର ପାଇବା ପାଇଁ ଜଣେ ସ୍ୱାମୀ ଅଜବ ଯୁକ୍ତି ବାଢ଼ିଛନ୍ତି। ସ୍ବାମୀ କହିଛନ୍ତି,‘ ହନିମୁନ୍ ସମୟରେ ପତ୍ନୀ “ଅଶ୍ଳୀଳ” ପୋଷାକ ପିନ୍ଧୁଥିଲେ। ସେଥିପାଇଁ ସେ ଛାଡପତ୍ର ଚାହୁଁଛନ୍ତି।’
ସେହିପରି ଜଣେ ମହିଳା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏହି ଆବେଦନରେ ସେ ଉଲ୍ଲେଖ କରିଥିଲେ କି, ତାଙ୍କ ସ୍ୱାମୀ ଲୋକସେବା ଆୟୋଗ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ତେଣୁ ତାଙ୍କୁ ପର୍ଯ୍ୟାପ୍ତ ସମୟ ଦେଉ ନାହାନ୍ତି। ସେଥିପାଇଁ ସେ ସେହି ସମ୍ପର୍କକୁ ଶେଷ କରିବାକୁ ଚାହୁଁଛନ୍ତି ।’
ଏଥିସହିତ ଉତ୍ତରପ୍ରଦେଶର ଜଣେ ମହିଳା ଛାଡ଼ପତ୍ର ଆବେଦନ କରି କହିଛନ୍ତି, ‘ସ୍ବାମୀ ମୋତେ ବହୁତ ଭଲ ପାଆନ୍ତି। ଛୋଟଛୋଟ ଜିନିଷ ପ୍ରତି ସେ ଖୁବ ଯତ୍ନଶୀଳ ଯେଉଁଥିପାଇଁ ମୋତେ ବହୁତ ଅସୁବିଧା ହେଉଛି। ବିବାହକୁ ୧୮ମାସ ବିତି ଯାଇଥିଲେ ମଧ୍ୟ କେବେ ବି ସ୍ବାମୀ ମୋ ସହ ଝଗଡ଼ା କରି ନାହାନ୍ତି। ତାଙ୍କର ଅଧିକ ମାତ୍ରାରେ ଭଲପାଇବା ହେତୁ ମୁଁ ସମୟସମୟରେ ଅସ୍ବାଭାବିକ ଅନୁଭବ କରୁଛି।’
View this post on Instagram
ଏହି ଭିଡିଓ ସେୟାର ହେବା ପରଠାରୁ ୧୬ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଏକ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଭିଡିଓ ସହିତ ଥିବା କ୍ୟାପସନରେ ଲେଖାଯାଇଛି, ‘ଯଦି ଏହି କାରଣରୁ ଛାଡପତ୍ର ନେବାକୁ ପଡିବ ତେବେ କାହିଁକି ବିବାହ କରିବେ?’