ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ମାମଲା: ସୋମବାର ଶୁଣାଣି

ଅଧେ ମାନିଲେ, ଆଉ ଅଧେ ମାନିଲେନି, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ବାରା ସାନି ସତ୍ୟପାଠ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆସନ୍ତା ସୋମବାର ଓଡ଼ିଶାରେ ଓକିଲମାନଙ୍କ ଆନ୍ଦୋଳନ ମାମଲାର ଶୁଣାଣି କରିବେ। ଏହା ପୂର୍ବରୁ ଆଜି ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ସୁପ୍ରିମକୋର୍ଟରେ ସାନି ସତ୍ୟପାଠ ଦାଖଲ କରିଛନ୍ତି। ୫୫ ପୃଷ୍ଠାର ଏହି ସତ୍ୟପାଠରେ ଓଡ଼ିଶାର କିଛି ସ୍ଥାନରେ ଏବେ ବି ଆଇନଜୀବୀ ଆନ୍ଦୋଳନ ଓ ପିକେଟିଂ ଜାରି ରଖିଥିବା ସୁପ୍ରିମକୋର୍ଟ ସେକ୍ରେଟେରି ଜେନେରାଲଙ୍କୁ ଅବଗତ କରାଯାଇଛି।

ସତ୍ୟପାଠରେ ସୂଚନା ଦିଆଯାଇଛି ଯେ ଚଳିତ ମାସ ୧୬ରେ ସମ୍ବଲପୁର ଜିଲ୍ଲା ବାର୍‌ ଆସୋସିଏସନ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଆନ୍ଦୋଳନ ଓ ପିକେଟିଂ କରିଥିଲେ। ସମ୍ବଲପୁର ଜିଲ୍ଲା ଜଜ୍‌ଙ୍କୁ ଏ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇ ନଥିଲା। କୋର୍ଟ ପରିସରକୁ ଜିଲ୍ଲା ଜଜ୍‌ ଏବଂ ବିଚାର ବିଭାଗୀୟ ଅଧିକାରୀଙ୍କୁ ଛଡ଼ାଯାଇ ନଥିଲା। କୋର୍ଟ କାର୍ଯ୍ୟରେ ଯୋଗଦାନ ପାଇଁ ଆନ୍ଦୋଳନକାରୀ ଓକିଲଙ୍କୁ ଜିଲ୍ଲା ଜଜ୍‌ ବୁଝାଇବାରେ ବିଫଳ ହୋଇଥିଲେ। ସେହିଭଳି ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବାର୍‌ ଆସୋସିଏସନ୍‌ ଗତ ୨୩ରେ ଦିନିକିଆ କାର୍ଯ୍ୟବନ୍ଦ ଓ ଧାରଣା ଦିଆଯାଇଥିଲା।
ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି କରି ବଲାଙ୍ଗୀର ଆକସନ୍‌ କମିଟି ସଦସ୍ୟମାନଙ୍କ ଦ୍ବାରା ସିଭିଲ କୋର୍ଟ ପରିସରରେ ଗତ ୧୭ରେ ପିକେଟିଂ କରାଯାଇଥିଲା। ଆନ୍ଦୋଳନକାରୀ ବିଚାର ବିଭାଗୀୟ ଅଧିକାରୀ, କୋର୍ଟ କର୍ମଚାରୀ, ବାଦୀ ଓ ଜନସାଧାରଣଙ୍କୁ କୋର୍ଟ ପରିସରକୁ ଛାଡ଼ିନଥିଲେ। ବଲାଙ୍ଗୀର ଜିଲ୍ଲା ଜଜ୍‌ଙ୍କ ସୂଚନା ଅନୁସାରେ ଜିଲ୍ଲାର ଟିଟିଲାଗଡ଼, କଣ୍ଟାବାଞ୍ଜି, ସଇନ୍ତଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡାରେ ଥିବା କୋର୍ଟଗୁଡ଼ିକର କାର୍ଯ୍ୟ ସ୍ବାଭାବିକ ଥିଲା। ଅନ୍ୟ ପକ୍ଷରେ ଲୋଇସିଂହା ଓ ପାଟନାଗଡ଼ କୋର୍ଟର ଓକିଲମାନେ ଆକସନ୍‌ କମିଟିକୁ ସମର୍ଥନ କରି ପିକେଟିଂରେ ସାମିଲ ହୋଇଥିଲେ। ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ କୋର୍ଟ ପରିସରକୁ ପ୍ରବେଶ କରାଇ ଦେଇନଥିଲେ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାର୍‌ ଆସୋସିଏସନ୍‌ର ସଦସ୍ୟମାନେ ନଭେମ୍ବର ୧୭ରେ ଜଣେ କିରାଣିଙ୍କ ଦେହାନ୍ତ ଯୋଗୁ ଗୋଟିଏ ଦିନ କାର୍ଯ୍ୟରୁ ବିରତ ରହିଥିଲେ। ନଭେମ୍ବର ୨୩‌ରେ ଦେବଗଡ଼ ଜିଲ୍ଲା ସଦର ମହକୁମା ଓ ରିଆମାଳ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେବଗଡ଼ ବାର ଆସୋସିଏସନ୍‌, ସିଭିଲ ସୋସାଇଟିର ସଦସ୍ୟ ଓ ରାଜନୈତିକ ଦଳର ସଦସ୍ୟମାନେ କୋର୍ଟ ପରିସରକୁ ପ୍ରବେଶ କରାଇ ଦେଇନଥିଲେ। ଅନ୍ୟପକ୍ଷରେ ନଭେମ୍ବର ୧୪ରୁ ଟାଙ୍ଗୀ ବାର୍‌ ଆସୋସିଏସନ, ନଭେମ୍ବର ୧୦ରୁ ତାଳଚେର ବାର ଆସୋସିଏସନ୍‌ ଓ ନଭେମ୍ବର ୧୫ରୁ ବଡ଼ମ୍ବା ବାର ଆସୋସିଏସନ ସଦସ୍ୟମାନେ କାର୍ଯ୍ୟରେ ଯୋଗ ଦେଇଥିବା ସଂପୃକ୍ତ ଜିଲ୍ଲାର ଜିଲ୍ଲା ଜଜ୍‌ମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର