କୋର୍ଟ ଭିତରେ ଓକିଲମାନଙ୍କୁ ମୋବାଇଲ, ଲାପଟପ ବ୍ୟବହାର ଅନୁମତି ମିଳୁ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ବିଚାରପତିମାନେ ଓକିଲମାନଙ୍କୁ କୋର୍ଟ ରୁମ୍ ଭିତରେ ସେମାନଙ୍କ ମୋବାଇଲ ଫୋନ, ଲାପଟପ ଆଦି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ରେ କାମ କରିବାକୁ ଅନୁମତି ଦେବା ଉଚିତ  । ଏହା ସହିତ କୋର୍ଟରୁମରେ ପର୍ଯ୍ୟାପ୍ତ ଫାୟାରୱାଲ୍ ସହିତ ଇଣ୍ଟରନେଟ୍ ସୁବିଧା ସୁନିଶ୍ଚିତ କରିବା ଉଚିତ ଯାହା ଦ୍ୱାରା ଏହାର ବାସ୍ତବ ଏବଂ ଅନୁମୋଦିତ ବ୍ୟବହାର ସୁନିଶ୍ଚିତ କରାଯାଇପାରିବ ।

ବୁଧବାର ସଂଧ୍ୟାରେ କଲିକତା ହାଇକୋର୍ଟର ପ୍ରଶାସନିକ ବିଭାଗ ଏବଂ ବିଭିନ୍ନ ଇ-କାର୍ଯ୍ୟକ୍ରମର ଭର୍ଚୁଆଲ ଉଦଘାଟନୀ ସମାରୋହରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ ମୋବାଇଲ ଫୋନ୍ ଏବେ ସମାଜରେ ସର୍ବବ୍ୟାପୀ ହୋଇଛି ଏବଂ ସେହି ସମୟକୁ ମନେ ପକାଇଲେ ଯେତେବେଳେ ବିଭିନ୍ନ ଅଦାଲତ ରେ ଏହାକୁ ନିଷିଦ୍ଧ କରାଯାଇଥିଲା ।

ଅନ୍ୟପକ୍ଷରେ ଗୁରୁବାର ଦିନ ପ୍ରଧାନବିଚାରପତି ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ଥିଲେ । ତାହା ହେଉଛି ସେ ରାଗିଯାଇଥିଲେ । ସେ ରାଗିଯାଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ସଭାପତି ବିକାଶ ସିଂହଙ୍କୁ ଅତ୍ୟନ୍ତ ଉଚ୍ଚ ସ୍ୱରରେ କୋର୍ଟ ଛାଡ଼ିବାକୁ କହିଥିଲେ । ଆଇନଜୀବୀଙ୍କ ଚେମ୍ବର ସହ ଜଡ଼ିତ ମାମଲାର ଶୁଣାଣି ନହେଲେ ପ୍ରଧାନ ବିଚାରପତିଙ୍କ ବାସଭବନରେ ଧାରଣା ଦିଆଯିବ ବୋଲି ବାର୍ ସଭାପତି ଧମକ ଦେଇଥିଲେ । ଏହା ଶୁଣି ପ୍ରଧାନବିଚାରପତି ରାଗିଯାଇ କହିଥିଲେ ଯେ “ଧମକ ଦିଅନି.. ତୁରନ୍ତ ମୋ କୋର୍ଟରୁ ବାହାରି ଯାଅ ।

 

ସମ୍ବନ୍ଧିତ ଖବର