ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟଙ୍କ ଫୁଲ୍ କୋର୍ଟ ଚାହିଲେ ନିଜଆଡୁ ଆଇନଜୀବୀଙ୍କୁ ସିନିୟର ଆଡ୍ଭୋକେଟ୍ର ମାନ୍ୟତା ପ୍ରଦାନ କରିପାରିବେ। ସୁପ୍ରିମ୍କୋର୍ଟର ବିଚାରପତି ଜେବି ପାର୍ଦିୱାଲା ଓ ଆର୍ ମହାଦେବନଙ୍କ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠଙ୍କ ମେ ୧୦, ୨୦୨୧ର ଆଦେଶନାମାକୁ ଖାରଜ କରି ହାଇକୋର୍ଟ ଅଫ୍ ଓଡ଼ିଶା(ଡେଜିଗ୍ନେସନ ଅଫ୍ ସିନିୟର ଆଡ୍ଭୋକେଟ୍) ନିୟମ-୨୦୧୯କୁ କାଏମ୍ ରଖିଛନ୍ତି। ସୂଚନାଯୋଗ୍ୟ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୁଇଜଣିଆ ଖଣ୍ଡପୀଠ ଜିତେନ୍ଦ୍ର କାଲା ବନାମ ଦିଲ୍ଲୀ ସରକାର ୨୦୨୫ ମାମଲାରେ ଶୀର୍ଷ ନ୍ୟାୟାଳୟଙ୍କ ପୂର୍ବ ରାୟକୁ ଆଧାର କରି ଏହି ଆଦେଶନାମା ଜାରି କରିଛନ୍ତି।
ଆଇନଜୀବୀଙ୍କୁ ବରିଷ୍ଠ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବିଚାର ବ୍ୟବସ୍ଥାରେ ଆଇନଜୀବୀଙ୍କ ବୁଦ୍ଧିମତ୍ତା ଓ ଓକିଲାତିକୁ ବିଚାରକୁ ନିଆଯାଇ ସିନିୟର ଆଡ୍ଭୋକେଟ୍ ମାନ୍ୟତା ମିଳିବା ଆବଶ୍ୟକ। ହେଲେ ଏହାକୁ ଅଧିକାରଭାବେ ଗ୍ରହଣ କରାଯାଇପାରିବ ନାହିଁ। ଏହି ପ୍ରକ୍ରିୟା କଠୋର ଭାବରେ ସ୍ବଚ୍ଛତାର ସିଦ୍ଧାନ୍ତ, ଉତ୍ତରଦାୟିତ୍ବ ଓ ସଂସ୍ଥାଗତ ସତ୍ୟନିଷ୍ଠା ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ଏଥି ସହିତ ସର୍ବୋଚ୍ଚ ନ୍ୟାୟାଳୟ ଆଡ୍ଭୋକେଟ୍ ଦୁର୍ଗାପ୍ରସାଦ ନନ୍ଦ, ଗୌତମ ମିଶ୍ର, ଦେବୀପ୍ରସାଦ ଧଳ, କରୁଣାକର ଜେନା ଓ ଶାନ୍ତନୁ କୁମାର ସରାନିଙ୍କ ସିନିୟର ଡେଜିଗ୍ନେସନ୍ ମାନ୍ୟତାକୁ କାଏମ୍ ରଖିଛନ୍ତି।