ଆସାମ: କଲରାପତ୍ରିଆକୁ ମାରିପକାଇଲେ ଉତ୍ତ୍ୟକ୍ତ ଲୋକେ

ଗୌହାଟୀ: ଶନିବାର ସକାଳେ ଆସାମ ଡିବ୍ରୁଗଡ଼ ଜିଲ୍ଲାର ଏକ ଗାଁକୁ ପଶିଆସିଥିବା ଗୋଟାଏ କଲରାପତ୍ରିଆ ବାଘକୁ ବାତୁଳପ୍ରାୟ ଜନତା ପିଟି ପିଟି ମାରି ପକାଇଛନ୍ତି।

ମୋରାନ୍‌ ସହର ଠାରୁ ୨୦ କିଲୋମିଟର୍‌ ଦୂର ବେଟୋନି ଚାରିଆଲିରେ ଘଟଣାଟି ଘଟିଛି।
ଶହ ଶହ ଗ୍ରାମବାସୀ ଠେଙ୍ଗା ଓ ବର୍ଚ୍ଛା ଆଦି ଧରି ବାଘକୁ ଗୋଡ଼ାଇ ଘେରାଉ କରିବା ପରେ ପୁଲିସ ଓ ବନକର୍ମଚାରୀଙ୍କ ଉପସ୍ଥିତିରେ ପିଟି ଭୁଷି ମାରି ପକାଇଥିଲେ।

ଦେଖଣାହାରିଏ କହନ୍ତି ଯେ ଫସଲ ବିଲ ନିକଟରେ ଆଶ୍ରା ନେଇ ଥିଲା କଲରାପତ୍ରିଆ। ବଡ଼ି ସକାଳେ ସେଠାରେ ଚଲାବୁଲା କରୁଥିବା କେତେ ଜଣ ଲୋକ ତାକୁ ଦେଖିଥିଲେ। ସେ ବାଘଟି ୪ ଜଣକୁ ଆହତ କରିଛି ବୋଲି ଶୁଣାଯାଇଥିଲା।

ପରେ ଏକ ଯୋଜନାବଦ୍ଧ ଆକ୍ରମଣରେ ଉତ୍ତ୍ୟକ୍ତ ଜନତା ବଣ ଭିତରକୁ ଯାଇ ସେ କଲରାପତ୍ରିଆକୁ ପିଟାପିଟି କରି ମାରି ପକାଇଥିଲେ। ଆତ୍ମରକ୍ଷା ପାଇଁ ବାଘଟି ପ୍ରତିଆକ୍ରମଣ କରିବାରୁ ସେତେବେଳେ କେତେ ଜଣ ଗ୍ରମାବାସୀ ମଧ୍ୟ ଆହତ ହୋଇଛନ୍ତି। ମାରି ସାରିବା ପରେ ବାଘର ମଢ଼ଟିକୁ ଘୋଷାରି ଘୋଷାରି ଲୋକେ ଏକ ଗୋପନ ସ୍ଥାନକୁ ନେଇଥିଲେ।

ସମ୍ବନ୍ଧିତ ଖବର