ହୃଦୟ ବିଦାରକ ଘଟଣା: ଝଟପଟ ହୋଇ ରାସ୍ତାରେ ଚାଲିଗଲା ବାପାଙ୍କ ପ୍ରାଣବାୟୁ, ପାଖରେ ବସି ଭୋଭୋ ହୋଇ କାନ୍ଦୁଥିଲେ ଦୁଇପିଲା

ଲକ୍ଷ୍ମୌ: ଉତ୍ତରପ୍ରଦେଶ ଗାଜିଆବାଦ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯିଏ ବି ଏହି ଘଟଣାର ଦୃଶ୍ୟ ଦେଖୁଛନ୍ତି, ତାଙ୍କ ଆଖିରେ ଲୁହ ଜକେଇ ଆସୁଛି। ଏଭଳି ଏକ ଦୁଃଖଦ ଘଟଣା ଦିଲ୍ଲୀ ଗେଟ ଅଞ୍ଚଳସ୍ଥ ହୋଲିବାଲି ଗଳିରେ ଘଟିଛି।

ଏଠାରେ ଜଣେ କରୋନା ସଂକ୍ରମିତ ବୃଦ୍ଧ ଅକ୍ସିଜେନ ଅଭାବରୁ ଝଟପଟ ହୋଇ ରାସ୍ତାରେ ଟଳି ପଡ଼ିଥିଲେ। ଏହି ସମୟରେ ତାଙ୍କ ସହିତ ଦୁଇଜଣ ଛୋଟ ପିଲା ଥିଲେ। ଯଏକି ବୃଦ୍ଧ ବାପାଙ୍କ ଏପରି ଅବସ୍ଥା ଦେଖି ରାସ୍ତାରେ ଭୋଭୋ ହୋଇ କାନ୍ଦୁଥିଲେ।

ସୂଚନାଯୋଗ୍ୟ, ଗାଜିଆବାଦର ଦିଲ୍ଲୀ ଗେଟ ଅଞ୍ଚଳରେ ଥିବା ହୋଲିବାଲି ଗଳିରେ ୫୫ବର୍ଷୀୟ ରାଜକୁମାର ବସବାସ କରନ୍ତି। କରୋନା-୧୯ରେ ସଂକ୍ରମିତ ହୋଇ ସେ ହୋମ ଆଇସୋଲେସନରେ ଥିଲେ।  ଗତ ଶନିବାର ବୃଦ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଆଉ ତାଙ୍କ ଅକ୍ସିଜେନ ସ୍ତର ବି କମି ଯାଇଥିଲା। ସେ କ’ଣ କରିବେ କିଛି ବୁଝି ନପାରି ଅଣନିଶ୍ବାସ ହୋଇ ରାସ୍ତାକୁ ଚାଲି ଆସିଥିଲେ। ଲୋକେ ତାଙ୍କୁ ପେଟ ମାଡ଼ି ଶୋଇ ଯିବାକୁ କହିଥିଲେ। ସେ ବି ଲୋକଙ୍କ କଥା ଶୁଣି ପେଟ ମାଡ଼ି ଆରମ ଲାଗିବ ବୋଲି ଶୋଇ ପଡ଼ିଥିଲେ। ଦୁଃଖର ବିଷୟ ଯେ ବୃଦ୍ଧ ଜଣଙ୍କର ସେହି ସମୟରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା। ଆଉ ସେ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଥିଲେ।

ବାପା କାହିଁକି ଏପରି ରାସ୍ତାରେ ଶୋଇଛନ୍ତି ଭାବି ତାଙ୍କର ନୀରିହ ପିଲା ଦ୍ବୟ ଦୌଡ଼ି ଯାଇଥିଲେ। କିନ୍ତୁ ସେମାନଙ୍କ ବାପା ଯେ ତାଙ୍କୁ ପର କରି ଆରପାରିକୁ ଚାଲି ଯାଇଛନ୍ତି ତାହା ସେମାନେ ବୁଝିବା ଅବସ୍ଥାରେ ନଥିଲେ। ବାପା ବାପା ଡାକି ଚାଲିଥିଲେ, ବାପା ନଶୁଣିବାରୁ ଭୋଭୋ ହୋଇ ରାସ୍ତାରେ ଦୁହେଁ କାନ୍ଦିବାକୁ ଲାଗିଥିଲେ। କିଛି ସମୟ ପରେ ବୃଦ୍ଧଙ୍କ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଜଣାଇଥିଲେ। କିନ୍ତୁ ପୁଲିସ କୌଣସି ପ୍ରକାର ସାହାଯ୍ୟ ନକରିବାରୁ ପରିବାରଲୋକେ ବୃଦ୍ଧଙ୍କ ଅନ୍ତିମ ସଂସ୍କାର କରି ଦେଇଥିଲେ।

ସମ୍ବନ୍ଧିତ ଖବର