କୋଚି : କେରଳରେ ଶାସକ ଏଲଡିଏଫ ବିଧାୟକ ଭି. ଅନୱର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ମଙ୍ଗଳବାର (ଏପ୍ରିଲ ୨୩, ୨୦୨୪) ସେ ଏକ ନିର୍ବାଚନୀ ରାଲିରେ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଡିଏନଏ ପରୀକ୍ଷା କରାଯିବା ଉଚିତ। ସେ ଜଣେ ଚତୁର୍ଥ ଶ୍ରେଣୀର ନାଗରିକ ପାଲଟିଯାଇଛନ୍ତି ଯିଏ କି ଗାନ୍ଧି ସାଙ୍ଗିଆ ରଖିବାକୁ ଯୋଗ୍ୟ ନୁହଁନ୍ତି ।
କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଏଲଡିଏଫ ବିଧାୟକ ପ୍ରଶ୍ନ କରିଛନ୍ତି- ନେହେରୁ ପରିବାରର ଜଣେ ବ୍ୟକ୍ତି କେମିତି ଏଭଳି ବିବାଦୀୟ ବୟାନ ଦେଇପାରିବେ। ରାହୁଲ ଗାନ୍ଧିଙ୍କ ଡିଏନଏ ପରୀକ୍ଷା କରାଯିବା ଉଚିତ ବୋଲି ମୋର ମତ। ଏହାକୁ ନେଇ କୌଣସି ବିବାଦ ନାହିଁ।
ବାସ୍ତବରେ, ୱାୟନାଡର ଲୋକସଭା ସାଂସଦ କେରଳରେ ନିର୍ବାଚନ ପ୍ରଚାର ସମୟରେ କେରଳ ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ରୀୟ ଏଜେନ୍ସି ପିନାରାୟୀ ବିଜୟନଙ୍କ ବିରୋଧରେ କାହିଁକି ପଚରାଉଚରା କିମ୍ବା ଗିରଫ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ଯେତେବେଳେ କି ତାଙ୍କ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଥିଲା।
ଏହାପରେ ବାମପନ୍ଥୀ ନେତାମାନେ ରାହୁଲଙ୍କ ତୀବ୍ର ନିନ୍ଦା କରିଥିଲେ। ପିନାରାୟୀ ବିଜୟନଙ୍କ ବଦଳରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)କୁ ସମାଲୋଚନା କରିବା ଉଚିତ ବୋଲି ସେମାନେ ପରାମର୍ଶ ଦେଇଥିଲେ।