ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରରେ ଘୃଣା ଏବଂ ବିଭାଜନ ସୃଷ୍ଟିକାରୀ ଭାଷଣ ଦେଉଥିବା ନେତାଙ୍କ ବିରୋଧରେ ନିର୍ବାଚନ କମିସନ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ସୁପ୍ରିମ୍ କୋର୍ଟ ପ୍ରଶଂସା କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇ ଏବଂ ଜଷ୍ଟିସ୍ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ନିର୍ବାଚନ କମିସନ ଏବେ ସଜାଗ ହୋଇଉଠିଛନ୍ତି। ବିଏସ୍ପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ନିର୍ବାଚନ କମିସନ ଲଗାଇଥିବା ୪୮ ଘଣ୍ଟିଆ କଟକଣାକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନକୁ ବିଚାର ପାଇଁ ଗ୍ରହଣ କରିବାକୁ ଖଣ୍ଡପୀଠ ମନା କରିଦେଇଛନ୍ତି। ଏ ସଂକ୍ରାନ୍ତରେ ପୃଥକ ମାମଲା ଦାଏର କରିବାକୁ ସୁପ୍ରିମ୍ କୋର୍ଟ ମାୟାବତୀଙ୍କ ଓକିଲଙ୍କୁ କହିଛନ୍ତି। ନିର୍ବାଚନ କମିସନ ବିଭିନ୍ନ ଦଳର ନେତାଙ୍କ ବିରୋଧରେ କଟକଣା ଲଗାଇ ସେମାନଙ୍କ ନିର୍ବାଚନ ପ୍ରଚାରକୁ ରୋକିବା ସନ୍ତୋଷଜନକ ପଦକ୍ଷେପ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ନିକଟରେ ସୁପ୍ରିମ୍ କୋର୍ଟ ଘୃଣା ଓ ବିଭାଜନ ସୃଷ୍ଟିକାରୀ ଭାଷଣ ଦେଉଥିବା ନେତାଙ୍କ ବିରୋଧରେ ନିର୍ବାଚନ କମିସନ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ଜଣାଇବାକୁ କହିଥିଲେ। ଏ ବାବଦରେ ସୁପ୍ରିମ୍ କୋର୍ଟ କମିସନଙ୍କ ଉଦାସୀନତାକୁ ନେଇ ଉଦ୍ବେଗ ପ୍ରକାଶ କରିବା ପରେ ନିର୍ବାଚନ କମିସନ ତୁରନ୍ତ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ପ୍ରକ୍ରିୟାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସ୍ପି ସୁପ୍ରିମୋ ମାୟାବତୀ, ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ ଏବଂ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ପ୍ରଚାରରେ କଟକଣା ଲଗାଯାଇଥିଲା। ଯୋଗୀ ଆଦିତ୍ୟନାଥଙ୍କୁ ୭୨ ଘଣ୍ଟା ଏବଂ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କୁ ୪୮ ଘଣ୍ଟା ସମସ୍ତ ପ୍ରକାର ନିର୍ବାଚନୀ ପ୍ରଚାରରୁ ଦୂରେଇ ରହିବାକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଯୋଗୁଁ ୟୁପିରେ ବିଏସ୍ପି ଏବଂ ବିଜେପିର ପ୍ରଚାର ପ୍ରଭାବିତ ହୋଇଛି ।
ନେତାଙ୍କ ଘୃଣା ବୟାନ:ଶେଷରେ ଚେଇଁଲେ ନିର୍ବାଚନ କମିସନ
/sambad/media/post_attachments/wp-content/uploads/2019/04/ec-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)