ମହାରାଷ୍ଟ୍ର ଏବଂ ହରିୟାଣାରେ ଭୋଟ ଦେଲେ ନେତା, ଅଭିନେତା, ଖେଳାଳି

ସାଇକେଲରେ ଖଟ୍ଟର, ଟ୍ରାକ୍ଟରରେ ଦୁଷ୍ୟନ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ହରିୟାଣାରେ ଆଜି ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ବହୁ ଖ୍ୟାତନାମା ନେତା, ଅଭିନେତା ଏବଂ ଖେଳାଳି ସେମାନଙ୍କ ଭୋଟ ଦେଇଛନ୍ତି। ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳି ଏବଂ ପୁଅ ଅର୍ଜୁନ ସହ ଭୋଟ ଦେଇଛନ୍ତି। ଏନସିପି ନେତା ଶରଦ ପାୱାର, ଜ୍ବାଇଁ ସଦାନନ୍ଦ ସୁଲେ, ନାତୁଣୀ ରେବତୀ ସୁଲେ ପ୍ରମୁଖ ମୁମ୍ବାଇର ଟର୍‌ଡିଓଠାରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ସେହିଭଳି ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ନେନେ, ଶାହରୁଖ ଖାନ୍, ଦୀପିକା ପାଦୁକୋନ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ଭୋଟଦାନ କରିଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ନାଗପୁରଠାରେ ପରିବାର ସହ ଭୋଟ ଦେଇଛନ୍ତି। ଫଡ଼ନାବିସ ନାଗପୁରର ଦକ୍ଷିଣ ପଶ୍ଚିମ ବିଧାନସଭା ଆସନରୁ ପଞ୍ଚମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି।

କୁସ୍ତିଯୋଦ୍ଧା ବବିତା ଫୋଗତ୍, ଗୀତା ଫୋଗତ୍ ହରିୟାଣାର ଚରଖି ଦାଦ୍ରି ନିର୍ବାଚନ ମଣ୍ଡଳୀର ବାଲାଲି ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଇଛନ୍ତି। ବବିତା ବିଜେପି ଟିକଟରେ ନିର୍ବାଚନ ଲଢ଼ୁଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କର୍ଣ୍ଣଲରେ ଭୋଟ ଦେଇଛନ୍ତି। ଶିବସେନା ସଭାପତି ଉଦ୍ଧବ ଠାକ୍‌‌ରେ, ପତ୍ନୀ ରଶ୍ମୀ, ପୁଅ ଆଦିତ୍ୟ ଏବଂ ତେଜସ୍‌ଙ୍କ ସହିତ ବାନ୍ଦ୍ରା (ଇଷ୍ଟ)ଠାରେ ମତାଧିକାର ସାବ୍ୟସ୍ତ କରିଛନ୍ତି। ୨୯ ବର୍ଷ ବୟସ୍କ ଆଦିତ୍ୟ ୱର୍ଲି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ତାଙ୍କ ପରିବାର ସଦସ୍ୟଙ୍କ ସହିତ ନାଗପୁରଠାରେ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିଭଳି ଆରଏସଏସ ମୁଖ୍ୟ ମୋହନ ଭାଗବତ ନାଗପୁରଠାରେ ଭୋଟ ଦେଇଛନ୍ତି। ହରିୟାଣାର ବ‌ରଦା ଆସନରୁ ବିଜେପି ପ୍ରାଥୀ ହୋଇଥିବା ଅଲିମ୍ପିକ୍ ପଦକ ବିଜେତା ଯୋଗେଶ୍ବର ଦତ୍ତ ମଧ୍ୟ ଭୋଟ ଦେଇଛନ୍ତି।

ସାଇକେଲରେ ଖଟ୍ଟର, ଟ୍ରାକ୍ଟରରେ ଦୁଷ୍ୟନ୍ତ
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ପାଇଁ ଆଜି ଅନୁଷ୍ଠିତ ନିର୍ବାଚନ ବେଳେ ନେତାମାନେ ‌ଅଭିନବ ଢଙ୍ଗରେ ଭୋଟ‌ଦାନ କେନ୍ଦ୍ରକୁ ଆସିଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ‌ଟ୍ରେନ୍ ଏବଂ ସାଇକେଲ ଚଢ଼ି ଭୋଟଦାନ କେନ୍ଦ୍ରରେ ପହଞ୍ଚିଥିବାବେଳେ ଜନନାୟକ ଜନତା ପାର୍ଟି (ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଟ୍ରାକ୍ଟରରେ ସପରିବାର ସିର୍ସାସ୍ଥିତ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ମତଦାନ କରିଛନ୍ତି। ମାଆ ଏବଂ ପତ୍ନୀଙ୍କ ସହିତ ‌ଟ୍ରାକ୍ଟର ଚଳାଇ ଭୋଟ ଦାନ କେନ୍ଦ୍ରକୁ ଆସିବାର କାରଣ ସମ୍ପର୍କରେ ପଚାରିବାରୁ ସେ କହିଲେ ଏହା ଆମର ପରିଚୟ। ସେହିଭଳି ମୁଖ୍ୟମନ୍ତ୍ରୀ ଖଟ୍ଟର ସାଇକେଲ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧିତ ଖବର