ଚିତାଙ୍କ ପାଇଁ ନେତା ବଡ଼ ବିପଦ: ମୋଦୀ

‌‌ନେତା, ସାମ୍ବାଦିକଙ୍କୁ ପୂରାଇ ନଦେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

କୁନୋ: ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟର ଏନକ୍ଲୋଜରରେ ଛାଡ଼ିଛନ୍ତି। ଏହାପରେ ସେ ଚିତା ମିତ୍ର ନାମରେ ସ୍ଥାନୀୟ ସ୍ବେଚ୍ଛାସେବୀମାନଙ୍କୁ ଚିତା ବାଘଙ୍କ ସୁରକ୍ଷା ନେଇ କେତେକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ନୂଆ ପରିବେଶ ସହିତ ଚିତାମାନେ ନିଜକୁ ଖାପ ନଖୁଆଇବା ପର୍ଯ୍ୟନ୍ତ କାହାରିକୁ ସେଠାକୁ ଆପଣମାନେ ଛାଡ଼ିବେ ନାହିଁ। ବିଶେଷକରି ନେତା ଏବଂ ସାମ୍ବାଦିକମାନଙ୍କୁ ଛାଡ଼ିବେ ନାହିଁ ବୋଲି ମୋଦୀ କହିଛନ୍ତି। ସ୍ବେଚ୍ଛାସେବୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ, ତୁମେ ଜାଣ ଚିତାଙ୍କ ପାଇଁ ସବୁଠୁ ବଡ଼ ବିପଦ କ’ଣ? ଏହା ପରେ କହିଥିଲେ ମୋ ଭଳି ନେତାମାନେ ହେଉଛନ୍ତି ବଡ଼ ବିପଦ। ସେମାନଙ୍କୁ ତୁମେ ଅଟକାଇବ। ଯଦି ମୁଁ ବି ଆସେ ମୋତେ ବି ଛାଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିଭଳି ଯଦି ମୋ ନାମ ନେଇ ମୋର କେହି ସଂପର୍କୀୟ ପ୍ରବେଶ କରିବାକୁ ଉଦ୍ୟମ କରିଲେ ସେମାନଙ୍କୁ ବି ଛାଡ଼ିବ ନାହିଁ। ସାମ୍ବାଦିକମାନଙ୍କ ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ‘ବେକ୍ରିଂ ନ୍ୟୁଜ୍‌’ ବ୍ୟକ୍ତିମାନେ ମଧ୍ୟ ଆସିବା ପାଇଁ ପ୍ରଚେଷ୍ଟା କରିବେ। ସାଧାରଣ ଲୋକଙ୍କ ପାଇଁ ଚିତା ଦେଖିବାକୁ ଅନୁମତି ନମିଳିବା ପର୍ଯ୍ୟନ୍ତ ତୁମେ ସେମାନଙ୍କୁ ଛାଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରୋଜେକ୍ଟ ଚିତା: ୨୦୦୯ର ଚିଠି ଜାରି କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଅଣାଯାଇଥିବା ୮ଟି ଚିତାକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାଡ଼ିଥିବା ବେଳେ ଏହି ପ୍ରସଙ୍ଗରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଆଜି ପୁଣି ଟାର୍ଗେଟ୍‌ କରିଛି । ଦେଶରୁ ଚିତା ବିଲୁପ୍ତ ହେବା ସତ୍ତ୍ବେ ୭୦ ବର୍ଷ ଧରି ଏ ଦିଗରେ କୌଣସି ପ୍ରୟାସ ହୋଇନଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିବାରୁ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏହାର ଜବାବ ଦେଇ ଆଜି ୨୦୦୯ ମସିହାର ଏକ ଚିଠି ଜାରି କରିଛନ୍ତି। ଟ୍ବିଟରରେ ଚିଠି ସେୟାର କରି ରମେଶ କହିଛନ୍ତି, ୨୦୦୯ରେ ପ୍ରୋଜେକ୍ଟ ଚିତା ପାଇଁ ୟୁପିଏ ସରକାର ପକ୍ଷରୁ ପ୍ରୟାସ କରାଯାଇଥିଲା ଏବଂ ଚିତା ଆଣିବା ପାଇଁ ଭାରତର ବନ୍ୟପ୍ରାଣୀ ଟ୍ରଷ୍ଟ୍‌କୁ ଚିତା ପ୍ରକଳ୍ପ ପାଇଁ ମଂଜୁରି ଦିଆଯାଇଥିଲା।

‘ୱାଇଲ୍‌ଡ ଲାଇଫ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ’ର ଡ. ଏମ୍‌.କେ. ରଂଜିତ ସିଂହଙ୍କୁ ଚିତା ପ୍ରକଳ୍ପ ପାଇଁ ସେତେବେଳେ ପରିବେଶ ମନ୍ତ୍ରୀ ଥିବା ରମେଶ ପତ୍ର ଲେଖି ଏ ବାବଦ ଯୋଜନା ପ୍ରସ୍ତୁତ କରିବା ପାଇଁ କହିଥିଲେ। ଚିତା କେଉଁଠାରେ ରଖାଯିବ ସେ ନେଇ ମଧ୍ୟ ଏହି ପତ୍ରରେ ପଚରା ଯାଇଥିଲା ବୋଲି ରମେଶ କହିଛନ୍ତି। ଏହା ବ୍ୟତୀତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଅନ୍ୟ ସଂସ୍ଥାଗୁଡ଼ିକ ସହ ମଧ୍ୟ ସରକାର ସଂପର୍କରେ ଥିଲେ ବୋଲି ରମେଶ କହିଛନ୍ତି। ରମେଶ କହିଛନ୍ତି ଆମ ପ୍ରଧାନମନ୍ତ୍ରୀଙ୍କର ମିଛ କହିବା ଏକ ଅଭ୍ୟାସ ପାଲଟିଯାଇଛି । ଗତକାଲି ‘ଭାରତ ଯୋଡ଼ୋ’ ଯାତ୍ରାରେ ବ୍ୟସ୍ତ ଥିବାରୁ ଏହି ପତ୍ର ମୁଁ ପ୍ରକାଶ କରିପାରିନଥିଲି ବୋଲି ରମେଶ କହିଛନ୍ତି।

ସମ୍ବନ୍ଧିତ ଖବର