ବେଙ୍ଗାଲୁରୁ: କର୍ଣ୍ଣାଟକରେ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ନେତାମାନେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗିପଡ଼ିଲେଣି | ଅନେକ ନେତା ପ୍ରତିଶ୍ରୁତିର ବର୍ଷା କରୁଥିବାବେଳେ କିଛି ନେତା ଭୋଟରଙ୍କୁ ଭଳି ଭଳି ଉପହାର ସାଙ୍ଗକୁ ଦର୍ଶନୀୟ ସ୍ଥାନ ବୁଲାଇବାରେ ଲାଗିପଡ଼ିଲେଣି | ଭୋଟରଙ୍କ ଭୋଟ ହାତେଇବାକୁ ନେତାମାନେ କେଉଁ ସବୁ ଉପାୟ ଆପଣାଉଛନ୍ତି ସେ ବାବଦରେ ଜାଣନ୍ତୁ | ଡିନର ସେଟ୍, ପ୍ରେସର କୁକର, ଡିଜିଟାଲ୍ ଘଣ୍ଟା ଏବଂ ଅନ୍ୟାନ୍ୟ ଉପହାର ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଏବେ ଉପହାର ବଣ୍ଟନ କର୍ଣ୍ଣାଟକରେ ଆରମ୍ଭ ହୋଇଯାଇଥିବାର ଦେଖିବାକୁ ମିଳିଛି | କିଛି ରାଜନେତା ଭୋଟରଙ୍କୁ ପାଇଁ ତୀର୍ଥଯାତ୍ରା ପ୍ରାୟୋଜିତ କରୁଥିବା ଦେଖିବାକୁ ମିଳିଛି |

Advertisment

​​ଭୋଟରଙ୍କୁ ଆନ୍ଧ୍ରପ୍ରଦେଶର ତିରୁପତି, କର୍ଣ୍ଣାଟକର ମଞ୍ଜୁନାଥ ସ୍ୱାମୀ ମନ୍ଦିର ସହ ମହାରାଷ୍ଟ୍ରର ସିରିଡ଼ି ବୁଲାଇବାରେ ନେତା ଲାଗିପଡିଛନ୍ତି । ବାଗାଲକୋଟ ଜିଲ୍ଲାର ଜଣେ ପ୍ରମୁଖ ରାଜନେତାଙ୍କ ଚିତ୍ର ଥିବା ଡିଜିଟାଲ ଘଣ୍ଟାର ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି। ଜଣେ ବାସିନ୍ଦା କହିଛନ୍ତି ଯେ ବେଙ୍ଗାଲୁରୁ ନିର୍ବାଚନମଣ୍ଡଳୀରେ ଭୋଟରଙ୍କୁ ଡିନର ସେଟ ବଣ୍ଟନ କରାଯାଇଛି। ତାଙ୍କର କହିବା ମୁତାବକ ଅପରାହ୍ନରେ ଏକ ଫୋନକଲ ପାଇଥିଲେ ଓ ଡିନର ସେଟ ସଂଗ୍ରହ କରିବାକୁ କୁହାଯାଇଥିଲା | ପ୍ରାରମ୍ଭରେ ଭୋଟରଜଣକ କେହି ତାଙ୍କୁ ମଜାରେ କହୁଛନ୍ତି ବୋଲି ଭାବିଥିଲେ | ପରେ ଯେତେବେଳେ ସେ କୁହାଯାଇଥିବା ସ୍ଥାନକୁ ଯାଇଥିଲେ ତାଙ୍କୁ ଡିନର ସେଟ ମିଳିଥିଲା | ସହରର ଅନ୍ୟ ଏକ ବ୍ଲକରେ ଜଣେ ପୂର୍ବତନ ମନ୍ତ୍ରୀ ଭୋଟରଙ୍କ ଜୀବନ ବୀମା ପ୍ରିମିୟମ ଭରୁଥିବା ଅଭିଯୋଗ ହୋଇଛି।

ସୂଚନା ଥାଉ କି ଯେ କିଛିଦିନ ତଳେ କର୍ଣ୍ଣାଟକରେ ଟ୍ରକରେ ଭର୍ତ୍ତି ପ୍ରେସର କୁକର ଏବଂ ରୋଷେଇ ଘରର ବାସନ ମଧ୍ୟ ଜବତ କରାଯାଇଥିଲା । ଏହି ଘଟଣାଗୁଡ଼ିକ ଉପରେ ପ୍ରତିକ୍ରିୟା ପ୍ରକାଶ କରି କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ମୀନା କହିଛନ୍ତି ଯେ ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେବ, କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମଧ୍ୟ ଏହାକୁ ରୋକିବା ପାଇଁ ଉପାୟ ଖୋଜିବାକୁ ପଡ଼ିବ।