ଜାଣନ୍ତୁ ବଜେଟ୍‌କୁ ନେଇ କେଉଁ ଦଳର ନେତା କ’ଣ କହିଲେ…

ରଣଦୀପ ସୂର୍ଯ୍ୟେୱାଲା, କଂଗ୍ରେସ ମୁଖ୍ୟ ମୁଖପାତ୍ର
ନୂଆ ବଜେଟ୍‌ରେ ଦରମାପ୍ରାପ୍ତ କର୍ମଚାରୀଙ୍କ ପାଇଁ କିଛି ନାହିଁ। ଏଥିରେ ଦରମାପ୍ରାପ୍ତ କର୍ମଚାରୀଙ୍କୁ ସୁହାଇବା ଭଳି କୌଣସି ପଦକ୍ଷେପ ନିଆଯାଇନାହିଁ। ଦେଶରେ ଦରମାପ୍ରାପ୍ତ କର୍ମଚାରୀ ଏବଂ ମଧ୍ୟବିତ୍ତ ଶ୍ରେଣୀ ମହାମାରୀ ସମୟରେ ନୂଆ ବଜେଟ୍‌ରୁ କିଛି ଆ‌ଶ୍ବାସନା ଚାହୁଥିଲେ। କିନ୍ତୁ ଚଳିତ ବଜେଟ୍‌ରେ ସେମାନଙ୍କ ପାଇଁ କିଛି ନାହିଁ। ଅର୍ଥ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପୁଣିଥରେ ନିରୁତ୍ସାହିତ କରିଛନ୍ତି।

ଶଶି ଥରୁର୍‌,ବରିଷ୍ଠ କଂଗ୍ରେସ ନେତା
୨୦୨୨-୨୩ ବଜେଟ୍‌ ଅତ୍ୟନ୍ତ ନୈରାଶ୍ୟଜନକ। ବଜେଟ୍‌ରେ କିଛି ନାହିଁ। ଏହା ଏକ ଫମ୍ପା ଦସ୍ତାବିଜ। ଆମେ ଅତି ଭୟଙ୍କର ଦୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛୁ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କୌଣସି ଟିକସ ରିହାତି ନାହିଁ। ଏହି ବଜେଟ୍‌ ‘ଅଚ୍ଛେ ଦିନ୍‌’ର ସ୍ବପ୍ନକୁ ଆହୁରି ଅନେକ ଦୂରକୁ ଠେଲି ଦେଇଛି। ‘ଅଚ୍ଛେ ଦିନ୍‌’ ଆସିବାପାଇଁ ଆହୁରି ୨୫ ବର୍ଷ ଲାଗିଯିବ। ବଜେଟ୍‌ ଭାଷଣରେ ମଧ୍ୟ ମନରେଗା ଏବଂ ପ୍ରତିରକ୍ଷା କ୍ଷେତ୍ର ସଂକ୍ରାନ୍ତରେ କିଛି କୁହାଯାଇନି।

ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ବେକାରୀ ସମସ୍ୟା ଏବଂ ମୁଦ୍ରାସ୍ଫୀତି ଯୋଗୁଁ ଘାଣ୍ଟି ହେଉଥିବା ସାଧାରଣ ଲୋକଙ୍କ ପାଇଁ ନୂଆ ବଜେଟ୍‌ରେ କିଛି ନାହିଁ। ୨୦୨୨-୨୩ ବଜେଟ୍‌କୁ ମମତା ‘ପେଗାସସ୍‌ ସ୍ପିନ୍‌ ବଜେଟ୍‌’ କହିଛନ୍ତି। ସାାଧାରଣ ଲୋକଙ୍କ ପାଇଁ ବଜେଟ୍‌ରେ କେବଳ ଶୂନ ହିଁ ଅଛି। ସମାଜର କୌଣସି ଶ୍ରେଣୀର ବ୍ୟକ୍ତି ବଜେଟ୍‌ରୁ ଉପକୃତ ହୋଇପାରିବେନି।

ଅରବିନ୍ଦ କେଜ୍ରିୱାଲ୍‌, ଦିଲ୍ଲୀ ମୁଖ୍ୟମନ୍ତ୍ରୀ
‌କେନ୍ଦ୍ର ବଜେଟ୍‌ ଅତ୍ୟନ୍ତ ଅସନ୍ତୋଷଜନକ ଏବଂ ସାଧାରଣ ଲୋକଙ୍କ ପାଇଁ ଏଥି‌ରେ କିଛି ଭଲ ବ୍ୟବସ୍ଥା ନାହିଁ। କ‌ରୋନା ସମୟରେ କେନ୍ଦ୍ର ବଜେଟ୍‌ରୁ ଲୋକଙ୍କର ଅନେକ ଆଶା ଥିଲା। କିନ୍ତୁ ବଜେଟ୍‌‌ରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ମୁଦ୍ରାସ୍ଫୀତି ହ୍ରାସ ପାଇଁ ବି ବଜେଟ୍‌ରେ କିଛି ନାହିଁ।

ପି ଚିଦମ୍ବରମ, ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ
ଆଜି ପର୍ଯ୍ୟନ୍ତ କୌଣସି ଅର୍ଥମନ୍ତ୍ରୀ ଏଭଳି ପୁଞ୍ଜିବାଦୀ ଭାଷଣ ଦେଇନଥିଲେ। ପାରା ୬ରେ ‘ପୁଅର୍‌’ ଶବ୍ଦ ୨ ଥର କୁହାଯାଇଛି। ଦେଶରେ ଗରିବ ଲୋକ ଅଛନ୍ତି ବୋଲି ମନେ ପକାଇ ଥିବାରୁ ଆମେ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ। ଲୋକ ଏହି ପୁଞ୍ଜିବାଦୀ ବଜେଟ୍‌କୁ ପ୍ରତ୍ୟାଖ୍ୟାନ କରିବେ। ମୁଁ ଆଶ୍ଚର୍ଯ୍ୟ ହେଉଛି , ଅର୍ଥମନ୍ତ୍ରୀ କୁଆଡ଼େ ଆଗାମୀ ୨୫ ବର୍ଷ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି।

ଅଶୋକ ଗେହଲଟ,ରାଜସ୍ଥାନ ମୁଖ୍ୟମନ୍ତ୍ରୀ
କେନ୍ଦ୍ର ବଜେଟ୍‌ ଅତ୍ୟନ୍ତ ନୈରାଶ୍ୟଜନକ। ଏହାଦ୍ବାରା ମୁଦ୍ରାସ୍ଫୀତି ବଢ଼ିବ। କେନ୍ଦ୍ର ସରକାରଙ୍କ ଆର୍ଥିକ ନିଅଣ୍ଟ ଗତ ୭ ବର୍ଷ ମଧ୍ୟରେ ଦ୍ବିଗୁଣା‌ ହୋଇଛି। ଚଳିତ ବଜେଟ୍‌ ପରେ ଆର୍ଥିକ ନିଅଣ୍ଟ ଆହୁରି ଅଧିକ ବଢ଼ିବ। ବ‌ଜେଟ୍‌ରେ କୃଷକ, ସାଧାରଣ ‌‌ଲୋକ, ଗରିବ, ମହିଳା ଏବଂ ପଛୁଆ ଶ୍ରେଣୀଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଏନ୍‌ଡିଏକୁ ୨୫ ସାଂସଦ ଦେଇଥିବା‌ ରାଜସ୍ଥାନ ଚଳିତ ବ‌ଜେଟ୍‌ରେ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ।

ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ‌ହୋଇଥିବା ବଜେଟ୍‌ରେ ବିଭିନ୍ନ ଷ୍ଟାର୍ଟ‌୍ ଅପ୍‌ ଏବଂ ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପ୍ରତିରକ୍ଷା ଆର୍‌ଡି ବଜେଟ୍‌ର ୨୫ ପ୍ରତିଶତ ପୃଥକ୍‌ ରଖିବାପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ଅତ୍ୟନ୍ତ ଚମତ୍କାର ପଦକ୍ଷେପ। ପ୍ରତିରକ୍ଷା ପୁଞ୍ଜି କ୍ରୟ ବଜେଟ୍‌ର ୬୮ ପ୍ରତିଶତ ଘରୋଇ ଶିଳ୍ପସଂସ୍ଥା ଗୁଡ଼ିକରୁ କ୍ରୟ ପାଇଁ ଆବଣ୍ଟନ କରାଯିବା ସଂକ୍ରାନ୍ତ ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହାଦ୍ବାରା ‘ଭୋକାଲ୍‌ ଫର ଲୋକାଲ୍‌’କୁ ଗୁରୁତ୍ବ ଦିଆଯାଇଛି। ଘରୋଇ ପ୍ରତିରକ୍ଷା‌ ଶିଳ୍ପକୁ ଏହା ଅଧିକ ସୁଦୃଢ଼ କରିବ।

ଅମିତ ଶାହ, କେନ୍ଦ୍ର ଗୃହ ମନ୍ତ୍ରୀ
କେନ୍ଦ୍ର ବଜେଟ୍‌ ଦୂରଦୃଷ୍ଟିସମ୍ପନ୍ନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ‌ରେ ଏହା ଭାରତକୁ ବିଶ୍ବର ଏକ ଅଗ୍ରଣୀ ଅର୍ଥବ୍ୟବସ୍ଥାରେ ପରିଣତ କରିବାରେ ସହଯୋଗ କରିବ। ୨୦୨୨-୨୩ ବର୍ଷ ପାଇଁ ୩୫.୪୫ ‌ଲକ୍ଷ କୋଟି ଟଙ୍କାର ବ୍ୟୟବରାଦରୁ ଜଣାପଡ଼ୁଛି ଯେ, କରୋନା ସମୟରେ ବି ଭାରତର ଅର୍ଥନୀତି ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମୋଦୀ ସରକାରଙ୍କ ଦ୍ବାରା ଅଣାଯାଇଥିବା ବଜେଟ ଦୂରଦୃଷ୍ଟିସମ୍ପନ୍ନ। ଏହି ବଜେଟ୍‌ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବ।

ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
କେନ୍ଦ୍ର ବଜେଟ୍‌ ୨୦୨୨ ପ୍ରଗତିଶୀଳ। ସମାଜର ସବୁ ବର୍ଗର ଲୋକ ବିଶେଷ କରି କୃଷକ, ମହିଳା, ଯୁବ ଗୋଷ୍ଠୀଙ୍କ ପାଇଁ ଏହି ବଜେଟ୍‌ ଉପକାରୀ ହେବ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘୋଷଣା ତଥା ଏମଏସ୍‌ପି, କୃଷକଙ୍କ ରୋଜଗାର ଦ୍ବିଗୁଣା କରିବାପାଇଁ ପଦକ୍ଷେପ, ଯୁବଗୋଷ୍ଠୀଙ୍କ ପାଇଁ ୬୦ ଲକ୍ଷ ଚାକିରି, ମହିଳା ସଶକ୍ତିକରରଣ ପାଇଁ ବିଭିନ୍ନ ପଦକ୍ଷେପ ତଥା ମିସନ୍‌ ଶକ୍ତି ଭଳି ପଦକ୍ଷେପ ଆମ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ।

ଜେପି ନଡ୍ଡା, ବିଜେପି ସଭାପତି
କେନ୍ଦ୍ର ବଜେଟ୍‌ରେ ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କ ମଙ୍ଗଳ ଏବଂ ଉନ୍ନତି ଉପରେ ଫୋକସ୍‌ କରାଯାଇଛି। ଚଳିତ ବଜେଟ୍‌ ଗରିବ ଏବଂ ଦୁର୍ବଳ ଶ୍ରେଣୀଙ୍କୁ ଆତ୍ମନିର୍ଭରଶୀଳ କରିବ। ଭାରତ ‘ଆଜାଦୀ କା ଅମୃତ ମହୋତ୍ସବ ପାଳୁଥିବା ବେଳେ ଏହି ବଜେଟ୍‌ ଗରିବଙ୍କ ସର୍ବାଙ୍ଗୀନ କଲ୍ୟାଣ ସହ କୃଷି ବିକାଶ, ଶ୍ରମିକଙ୍କ ବିକାଶ, ଭିତ୍ତିଭୂମି ସୁଦୃଢ଼ ପାଇଁ ସମର୍ପିତ।

ପିନାରାୟୀ ବିଜୟନ, କେରଳ ମୁଖ୍ୟମନ୍ତ୍ରୀ
କେନ୍ଦ୍ର ବଜେଟ୍‌ ନେଇ ଅସନ୍ତୋଷ ପ୍ରକାଶ କରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ବଜେଟ୍‌ ଦ୍ବାରା ମୁଦ୍ରାସ୍ଫୀତି ବଢ଼ିବ। ଥିଲା ବାଲା ଏବଂ ନଥିଲା ବାଲାଙ୍କ ମଧ୍ୟରେ ବିଭେଦ ଅଧିକ ବଢ଼ିବ। ବଡ଼ ବଡ଼ କର୍ପୋ‌ରେଟ୍‌କୁ ସନ୍ତୁଷ୍ଟ କରାଯାଇଛି। ଚଳିତ ବଜେଟ୍‌ ରାଜ୍ୟଗୁଡ଼ିକୁ ଦୁର୍ବଳ କରିଦେଇଛି।


ଅଖିଳେଶ ଯାଦବ,ସମାଜବାଦୀ ପାର୍ଟି ସୁପ୍ରିମୋ
ଲୋକଙ୍କ ପକେଟ୍‌ କାଟିବା ପାଇଁ ଏହା ବିଜେପି ସରକାରର ଆଉ ଏକ ବଜେଟ୍‌। ଏଥିରେ ସମସ୍ୟା ପୀଡ଼ିତ ସାଧାରଣ ଜନତା ଓ ବ୍ୟବସାୟୀଙ୍କ ପାଇଁ କିଛି ନାହିଁ ।

ସମ୍ବନ୍ଧିତ ଖବର