ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧାନସଭା ନିର୍ବାଚନର ପରାଜୟକୁ ନେଇ ଗୃହ ଭିତରେ ଅସନ୍ତୋଷ ବ୍ୟକ୍ତ ନ କରିବାକୁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି। ସଂସଦ ଭବନ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିରୋଧୀମାନେ ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବରେ ବିଚାର କରିବା ଉଚିତ ଏବଂ ଚଳିତ ଅଧିବେଶନରେ ସକାରାତ୍ମକତା ସହିତ ଆଗକୁ ବଢ଼ିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳରେ ବସିଥିବା ଆମର ସହକର୍ମୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହି ଅଧିବେଶନରେ ପରାଜୟର କ୍ରୋଧକୁ ବାହାର କରିବା ପରିବର୍ତ୍ତେ ଯଦି ସେମାନେ ସକାରାତ୍ମକତା ସହ ଆଗକୁ ବଢ଼ିବେ ଏବଂ ପରାଜୟରୁ ଶିକ୍ଷା ଗ୍ରହଣ କରିବେ ତେବେ ଦେଶ ସେମାନଙ୍କ ପ୍ରତି ଦୃଷ୍ଟିକୋଣ ବଦଳାଇବ।

Advertisment

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପିର ବିପୁଳ ବିଜୟ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେଉଁମାନେ ମହିଳା, ଯୁବକ, କୃଷକ, ଗରିବ- ଏହି ଚାରିଟି ‘ଜାତି’ର ସଶକ୍ତୀକରଣ ନୀତିରେ ଅଗ୍ରସର ହୁଅନ୍ତି ସେମାନଙ୍କୁ ପ୍ରବଳ ସମର୍ଥନ ମିଳିଥାଏ। ଯେତେବେଳେ ଜନକଲ୍ୟାଣ ପାଇଁ ପ୍ରତିବଦ୍ଧତା ଥାଏ ସେତେବେଳେ ଆଣ୍ଟି-ଇନକମ୍ବେନ୍ସି ଶବ୍ଦ ଅପ୍ରାସଙ୍ଗିକ ହୋଇଯାଏ। କେହି କେହି ଏହାକୁ ପ୍ରୋ-ଇନକମ୍ବେନ୍ସି, ସୁଶାସନ କିମ୍ବା ସ୍ୱଚ୍ଛତା ବୋଲି କହନ୍ତି, ଏହା ଦେଶରେ ଅନୁଭୂତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଗୃହର ସଦସ୍ୟମାନଙ୍କୁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିବା ସହ ସଂସଦରେ ଉପସ୍ଥାପିତ ବିଲ୍ ଉପରେ ବ୍ୟାପକ ଆଲୋଚନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଲୋକସଭାରେ ‘ତିସରୀ ବାର ମୋଦୀ ସରକାର’ ଏବଂ ‘ବାର ବାର ମୋଦୀ ସରକାର’ ସ୍ଲୋଗାନ ଦେଇଥିଲେ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଦେଇଥିବା ‘ନୈରାଶ୍ୟଜନକ’ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ପରାଜୟରୁ ଶିକ୍ଷା ନେବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ କହିଛି ଯେ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପି ହାରିବା ବେଳେ ମୋଦୀଙ୍କ ‘ଜ୍ଞାନ’ ହଜିଯାଇଥିଲା। କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆମ ଭବିଷ୍ୟତ ବିଷୟରେ ଚିନ୍ତା କରିବା ବନ୍ଦ କଲେ ଭଲ ହେବ। କାରଣ ଯେତେବେଳେ ବିଜେପି କର୍ଣ୍ଣାଟକ, ହିମାଚଳ ପ୍ରଦେଶରେ ହାରିଲା, ସେତେବେଳେ ତାଙ୍କର ‘ସବ୍ ଜ୍ଞାନ ଗାଏବ ହୋ ଗୟା ଥା’ ବୋଲି ଚୌଧୁରୀ କହିଛନ୍ତି।