ଆରଏସଏସଠାରୁ ଶିଖ ଲୋକସମ୍ପର୍କ: ଏନସିପି ମୁଖ୍ୟ

ମୁମ୍ବାଇ: ଲୋକସଭା ନିର୍ବାଚନରେ ହାର ପରେ ଏହାକୁ ନେଇ ଏବେ ହାରିଥିବା ଦଳମାନେ ସମୀକ୍ଷାରେ ଲାଗିପଡିଛନ୍ତି | ଏନସିପି ମୁଖ୍ୟ ଶରଦ ପାୱାର ଏହି ଅବସରରେ ତାଙ୍କର କାର୍ଯ୍ୟକର୍ତ୍ତାଙ୍କୁ କିଛି ପରାମର୍ଶ ଦେଇଛନ୍ତି | ଶରଦ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପାଖରୁ ଶିଖିବା ଆବଶ୍ୟକ କିଭଳି ସେମାନେ ଲୋକଙ୍କ ସହ ସମ୍ପର୍କ ରଖନ୍ତି | ତୃଣମୂଳ ସ୍ତରରୁ ଲୋକଙ୍କ ସହ ସମ୍ପର୍କ ରଖିବା କଳା ସେମାନଙ୍କ ପାଖରୁ ଅନୁଧ୍ୟାନ କରି ନିଜ ଭିତରେ ବି ଉପଯୋଗ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ଶରଦ |

ଶରଦ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିଜ କାର୍ଯ୍ୟକର୍ତ୍ତାଙ୍କୁ କଡା ତାଗିଦ କରିଛନ୍ତି | ଲୋକଙ୍କ ଘରକୁ ଘର ଯାଇ ଭୋଟରଙ୍କୁ ଭେଟିବାକୁ ଶରଦ ପରାମର୍ଶ ଦେଇଛନ୍ତି | ଆରଏସଏସ ସ୍ୱୟଂସେବକଙ୍କ ପ୍ରଶଂସା କରି ପାୱାର କହିଛନ୍ତି ଯେ ଆରଏସଏସ ସ୍ୱୟଂସେବକମାନେ ବର୍ଷବର୍ଷ ଧରି ପରିଶ୍ରମ କରୁଛନ୍ତି | ଲୋକଙ୍କ ଘରକୁ ଯାଉଛନ୍ତି | ୫ଟି ଘର ମଧ୍ୟରୁ ଯଦି କୌଣସି ଗୋଟିଏ ଘର ବି ବନ୍ଦ ହୋଇଯାଇଥାଏ ତେବେ ସେମାନେ ସେହି ଘରକୁ ବାରମ୍ବାର ଯାଆନ୍ତି | ଯେ ପର୍ଯ୍ୟନ୍ତ ନିଜ ବାର୍ତ୍ତା ପହଞ୍ଚାଇନଥାନ୍ତି ସେତେଦିନ ପର୍ଯ୍ୟନ୍ତ ଲୋକଙ୍କ ଘରକୁ ଯାଆନ୍ତି |

ଲୋକଙ୍କ ସହ କିଭଳି ସମ୍ପର୍କକୁ ସୁଦୃଢ କରିହେବ ତାହା ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ପାଖରୁ ଶିଖିହେବ | ଏହି ବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଏହାକୁ ନଜରରେ ରଖି ପାୱାର କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଏବେଠାରୁ ଲୋକଙ୍କ ଘରକୁ ଯାଇ ପ୍ରଚାର ଆରମ୍ଭ କରନ୍ତୁ |

ସମ୍ବନ୍ଧିତ ଖବର