ପ୍ରଧାନ ବିଚାରପତିଙ୍କୁ ବିଚାରପତିଙ୍କ ଚିଠି

ସମ୍ମାନାଷ୍ପଦ ପ୍ରଧାନ ବିଚାରପତି,

ଭୀଷଣ ଗ୍ଲାନି ଏବଂ ଚିନ୍ତାର ବିଷୟ, ଆପଣଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର କାର୍ଯ୍ୟକାରିତା ସମ୍ପର୍କରେ ଆମ୍ଭେମାନେ ଏପରି ଚିଠି ମାଧ୍ୟମରେ କିଛି ଜଣାଇବାକୁ ଉଚିତ ମନେ କରୁଛୁ। ନ୍ୟାୟାଳୟ ଦ୍ୱାରା ଏପରି କିଛି ରାୟ ପ୍ରକାଶ ପାଇଛି ଯାହା କି ମୋଟାମୋଟି ଭାବେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ତଥା ପ୍ରଣାଳୀ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ତାହା ମାନ୍ୟବର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟର ପ୍ରାଶାସନିକ କାର୍ଯ୍ୟକାରିତାକୁ ପ୍ରଭାବିତ କରିବା ସହ ହାଇକୋର୍ଟଗୁଡ଼ିକର ସ୍ୱାଧୀନତାରେ ମଧ୍ୟ ହସ୍ତକ୍ଷେପ କରିଛି। ସୁଦୂର ଅତୀତରେ କଲିକତା, ବମ୍ବେ ଏବଂ ମାଡ୍ରାସ ପରି ତିନିଟି ସ୍ୱତନ୍ତ୍ର ଅଦାଲତ ସ୍ଥାପନ ପରଠାରୁ ଦେଶରେ ନ୍ୟାୟିକ ପ୍ରଶାସନରେ କିଛି ନିର୍ଦ୍ଦିଷ୍ଟ ପରମ୍ପରା ଏବଂ ବିଧି ବଳବତ୍ତର ହୋଇ ରହି ଆସିଛି ଏବଂ ତାହା ସମୟାନୁକ୍ରମେ ପାଳିତ ମଧ୍ୟ ହୋଇ ଆସୁଛି। ସେଥି ମଧ୍ୟରୁ କୌଣସି ମାମଲାର ଶୃଙ୍ଖଳିତ ଶୁଣାଣି ପାଇଁ ତାହା ଖଣ୍ଡପୀଠ କିମ୍ବା ଜଣକୁ ଦିଆଯିବ ତାହାର ଆବଣ୍ଟନ ତାଲିକା ପ୍ରଧାନ ବିଚାରପତି କରିବାର ବିଧି ରହିଛି। ତେବେ ତାହା ମାନେ ନୁହେଁ ଯେ ଏଥିପାଇଁ ପ୍ରଧାନ ବିଚାରପତି ନିଜ ସହକର୍ମୀମାନଙ୍କ ଠାରୁ ଶ୍ରେୟସ୍କର। ଦେଶର ନ୍ୟାୟଶାସ୍ତ୍ର ଅନୁସାରେ, ପ୍ରଧାନ ବିଚାରପତି ହେଉଛନ୍ତି ଅନ୍ୟ ସମସ୍କନ୍ଧମାନଙ୍କ ମଧ୍ୟରେ କେବଳ ପ୍ରଥମ- ତାହା ଛଡ଼ା ଆଉ କିଛି ନୁହେଁ। ସେହିପରି ଏହି ଆବଣ୍ଟନ ଖସଡ଼ା ପ୍ରସ୍ତୁତି ପାଇଁ ପ୍ରଧାନ ବିଚାରପତିଙ୍କୁ ଦିଗଦର୍ଶନ ଦେବାକୁ ନିର୍ଦ୍ଦିଷ୍ଟ ସମୟୋପଯୋଗୀ ବିଧିବିଧାନ ରହିଛି। ତେବେ ଏହି କାର୍ଯ୍ୟ ପାଇଁ ନିଜକୁ ଜଣେ ହର୍ତ୍ତାକର୍ତ୍ତା ଭାବି ଖସଡ଼ା ଅନୁସାରେ ଅନ୍ୟ କେହି ବିଚାରପତି ବା ଖଣ୍ଡପୀଠ ଶୁଣାଣି କରୁଥିବା ମାମଲାରେ ବଳପୂର୍ବକ ହସ୍ତକ୍ଷେପ କରିବା ଠିକ୍‌ ନୁହେଁ।

ଉପର ବର୍ଣ୍ଣିତ ଏହି ଦୁଇଟି ବିଧିର ଉଲ୍ଲଂଘନ କରିବା ଦ୍ୱାରା ଅଯଥାରେ ଅପ୍ରୀତିକର ତଥା ଅବାଞ୍ଛନୀୟ ପରିସ୍ଥିତି ସୃଷ୍ଟି ହେବା ସହ ନ୍ୟାୟପାଳିକାର ଅଖଣ୍ଡତାରେ ମଧ୍ୟ ପ୍ରଶ୍ନବାଚୀ ଲାଗିବାର ଆଶଙ୍କା ରହିଛି। ପରିତାପର ବିଷୟ, ଏହି ଦୁଇଟି ଯାକ ନିୟମ କଡ଼ାକଡ଼ି ପାଳନ କରାଯାଉନାହିଁ। ଏପରି ଅନେକ ଉଦାହରଣ ରହିଛି ଯେଉଁଠି ଦେଶବାସୀ କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାର ମହତ୍ୱପୂର୍ଣ୍ଣ ରାୟକୁ ଅପେକ୍ଷା କରି ରହିଥିବା ବେଳେ ସେଥିପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡକୁ ଅନୁସରଣ ନକରି ତାହାକୁ କୌଣସି ଯୌକ୍ତିକ ବା ତର୍କସଙ୍ଗତ ଆଧାର ନଥିବା ମନପସନ୍ଦର ଖଣ୍ଡପୀଠରେ ଆବଣ୍ଟନ କରାଯାଉଛି। ଦେଶର ସର୍ବୋଚ୍ଚ ନ୍ୟାୟିକ ଅନୁଷ୍ଠାନକୁ ଲଜ୍ଜିତ ନହେବା ଲାଗି ଏଭଳି ଘଟଣାର ସବିଶେଷ ଉଦାହରଣ ଦେଉନାହୁଁ। ତେବେ ଏ କଥା ସତ୍ୟ ଯେ ଏହାଦ୍ୱାରା ଏହି ସର୍ବୋଚ୍ଚ ଅଦାଲତର ଛବି କିଛି ମାତ୍ରାରେ କଳୁଷିତ ହୋଇସାରିଛି। ତେଣୁ ମାନ୍ୟବର ପ୍ରଧାନ ବିଚାରପତି ପରିସ୍ଥିତିରେ ସୁଧାର ଆଣିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଉଛି। ଏଥିପାଇଁ କଲେଜିଅମ୍‌ର ଅନ୍ୟ ସମସ୍ତ ସଦସ୍ୟଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏପରିକି ଆବଶ୍ୟକ ପଡ଼ିଲେ ଏହି ଅଦାଲତର ଅନ୍ୟ ବିଚାରପତିମାନଙ୍କ ସହ ମଧ୍ୟ ଆଲୋଚନା କରିବା ଜରୁରୀ।

ସମ୍ବନ୍ଧିତ ଖବର