ଲକ୍ଷ୍ନୌ: ବଦାୟୁଁରେ ଘଟିଥିବା ଦୁଇ ହତ୍ୟାକାଣ୍ଡ ନେଇ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅଜୟ କହିଛନ୍ତି ରାଜ୍ୟରେ ଏବେ ଜଙ୍ଗଲରାଜ୍ ଚାଲିଛି। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଚାଷୀଙ୍କ ଉପରେ କାର୍ ଚଢ଼ାଇ ହତ୍ୟା କରିଥିଲେ। ସେହି ମନ୍ତ୍ରୀଙ୍କୁ ପୁଣି ଥରେ ଲଖିମପୁରରୁ ଟିକେଟ ପ୍ରଦାନ ଯାଇଛି। ରାଜ୍ୟର ଅରାଜକତା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ମଠକୁ ଚାଲିଯିବା ଉଚିତ। ଡବଲ ଇଞ୍ଜିନ ସରକାର ଏବଂ ତାଙ୍କର ଲୋକ ମିଥ୍ୟା କହୁଛନ୍ତି। ବିଜେପି ସରକାର ଅପରାଧୀଙ୍କୁ ଟିକେଟ ଦେଇ ରାଜନୀତିର ଅପରାଧୀକରଣ କରୁଥିବା ଅଜୟ ରାୟ ଅଭିଯୋଗ କରିଛନ୍ତି।

Advertisment

ମୁଜାଫରନଗରରେ ପୁଲିସ ଶିକ୍ଷକଙ୍କୁ ଗୁଳି କରିବା ଘଟଣା ସମ୍ପର୍କରେ ସେ କହିଛନ୍ତି ରାଜ୍ୟରେ ଆଇନର ରକ୍ଷକ ଏବେ ଭକ୍ଷକ ପାଲଟିଛନ୍ତି। ମୁଁ ପୂର୍ବରୁ କହିଥିଲି ଏବେ ମଧ୍ୟ କହୁଛି ମୁଖ୍ୟମନ୍ତ୍ରୀ ନୈତିକତା ଆଧାରରେ ନିଜ ପଦବୀ ଛାଡ଼ିଦେବା ଉଚିତ।

ଏହା ସହିତ ସମାଜବାଦୀ ପାର୍ଟି (ଏସପି) ପକ୍ଷରୁ ମଧ୍ୟ ବଦାୟୁଁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଘେରିବା ଆରମ୍ଭ ହୋଇଛି। ରାଜ୍ୟରେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ହିଂସାକୁ ନିଆଁ ଦେବା ପାଇଁ ଏଭଳି ଘଟଣାରେ ସରକାରଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରାଯାଉଥିବା ଏସପି ନେତା ଆଶୁତୋଷ ବର୍ମା ପାଟିଲ ଅଭିଯୋଗ ଆଣିଛନ୍ତି। ବିଜେପି ଜାଣିଶୁଣି ଦେଶ ତଥା ରାଜ୍ୟରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଛି। ଏହି ବିଭେଦ ରାଜନୀତି ହେଉଛି ବିଜେପିର ବ୍ରହ୍ମାସ୍ତ୍ର। ଏଭଳି କରି ବିଜେପି ନିର୍ବାଚନୀ ‌ବୈତରଣୀ ପାର୍ ହେବାର ଯୋଜନା କରିଛି। କିନ୍ତୁ ଜନସାଧାରଣ ଏହାର କଡ଼ା ଜବାବ ଦେବେ ବୋଲି ପାଟିଲ କହିଛନ୍ତି।