ଆମେ ଜୀବନ ଦେବାକୁ ରାଜି ଅଛୁ; ହମାସକୁ ସମର୍ଥନ କରି ପ୍ରଥମ ପ୍ରତିକ୍ରିୟା ଦେଲା ନସରଲ୍ଲା

ନୂଆଦିଲ୍ଲୀ: ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ଏବେ ବି ଜାରି ରହିଛି। ଇସ୍ରାଏଲ୍ ସେନା ଦାବି କରିଛି ଯେ, ସେମାନେ ଗାଜା ସହରର ଦ୍ୱାରଦେଶରେ ପହଞ୍ଚିସାରିଛନ୍ତି । ହମାସ ପକ୍ଷରୁ କୁହାଯାଇଛି, ‘‘ବର୍ତ୍ତମାନ ଆମେ ହାମାସ ଗଡ଼ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛୁ।’’ ଇସ୍ରାଏଲର ସ୍ଥଳ ଆକ୍ରମଣ ପରେ ହମାସ ନେତାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏଥିପାଇଁ ସେମାନେ କ୍ରମାଗତ ଭାବରେ ଇସ୍ରାଏଲ ବିରୋଧରେ ବିଷ ଓଗାଳୁଛନ୍ତି।

ଏ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ କୌଣସି ପ୍ରତିକ୍ରିୟା ରଖିନଥିବା  ଲେବାନନ୍ ସଂଗଠନ ହିଜବୁଲାର ମୁଖ୍ୟ ସୟଦ ହସନ ନସରଲ୍ଲା ନିଜର ପ୍ରତିକ୍ରିୟା ରଖିଛି। ପ୍ରଥମ ଥର ପାଇଁ ହସନ ନସରଲ୍ଲା ଭାଷଣ ଦେଇ ହମାସକୁ ସମର୍ଥନ ଜଣାଇଛି। ହମାସ ଆକ୍ରମଣ ଇସ୍ରାଏଲର ଦୁର୍ବଳତାକୁ ପ୍ରକାଶ କରିଛି। ଏହି ସଂଘର୍ଷକୁ ଏକ ‘ପବିତ୍ର ଯୁଦ୍ଧ’ ବୋଲି ସେ ଆଖ୍ୟା ଦେଇଛି। ଏଥିସହ ତାଙ୍କ ଗୋଷ୍ଠୀ ବଳିଦାନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ନସରଲ୍ଲା ଘୋଷଣା କରିଛି।

​ନସରଲ୍ଲାର କହିବା ମୁତାବକ, ଅକ୍ଟୋବର ୭ରେ ଇସ୍ରାଏଲ ବିରୋଧରେ ହମାସ ଦ୍ବାରା ଆରମ୍ଭ ହୋଇଥିବା ଏହି ଯୁଦ୍ଧ ୧୦୦% ପାଲେଷ୍ଟେନୀୟ ଥିଲା। ଗତ ୨୦ବର୍ଷ ହେଲାଣି ଗାଜାର ୨୦ନିୟୁତ ଲୋକ କଷ୍ଟଦାୟକ ଅବସ୍ଥାରେ ଜୀବନ ବିତାଉଛନ୍ତି। ସେମାନଙ୍କ ଘର ଭାଙ୍ଗି ଦିଆଯାଉଛି, ସେମାନଙ୍କୁ ଗିରଫ କରାଯାଉଛି। କିନ୍ତୁ ଏହାକୁ ନେଇ କେହି ଚିନ୍ତିତ ନୁହନ୍ତି। ଜାତିସଂଘ ନା ଏ ବିଷୟରେ ପଚାରିଛି ନା ଓଆଇସି, ଆରବ ଲିଗ୍ ଏବଂ ୟୁରୋପୀୟ ସଂଘ ଏଥିପାଇଁ ଚିନ୍ତିତ। ଏଭଳି କହି ହମାସକୁ ସମର୍ଥନ କରିବା ସହ ନସରଲ୍ଲା ନିଜର ୨ଟି ଲକ୍ଷ୍ୟ କ’ଣ ତାହା ଜଣାଇଛି। ସେ କହିଛି ଯେ, ମୋର ପ୍ରଥମ ଲକ୍ଷ୍ୟ ହେଲା ଗାଜାରେ ଯୁଦ୍ଧ ବନ୍ଦ କରିବା ଏବଂ ଦ୍ୱିତୀୟଟି ହେଲା ହମାସକୁ ଏହି ଯୁଦ୍ଧରେ ବିଜୟୀ କରିବା।

ଅନ୍ୟପକ୍ଷରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଦ୍ବିତୀୟ ଥର ଗସ୍ତରେ ଆସି ଆଜି ଇସ୍ରାଏଲ୍‌ରେ ପହଞ୍ଚିଛନ୍ତି। ଏହାପରେ ସେ ଜୋର୍ଡାନ୍‌ ଗସ୍ତରେ ବି ଯିବେ। କାରଣ ମାନବୀୟ ସହାୟତା ନିମନ୍ତେ ଯୁଦ୍ଧ ବିରତି ପାଇଁ ଉଦ୍ୟମ କରିବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର