ନୂଆଦିଲ୍ଲୀ: ଛୋଟ ଶିଶୁକୁ ପାଳିପୋଷି ବଡ଼ କରିବା ବହୁତ କଷ୍ଟ। ଏଥିପାଇଁ ବାପା ଓ ମା’ମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ବିଶେଷ ଭାବେ ଜନ୍ମରୁ ୫ବର୍ଷ ଯାଏଁ ଶିଶୁଙ୍କ ସହିତ ପ୍ରତିମୁହୂର୍ତ୍ତରେ ରହିବାକୁ ପଡ଼ିଥାଏ।  କାରଣ ଏହି ବୟସର ଶିଶୁମାନେ ଖେଳୁଥିବା ସମୟରେ ବିଭିନ୍ନ ପ୍ରକାର ଘଟଣା ଘଟାଇ ଥାଆନ୍ତି। ଖେଳୁଖେଳୁ ଶିଶୁମାନେ ଛୋଟଛୋଟ ଜିନିଷକୁ ପାଟିରେ ପୁରାଇ ଦେଇଥାଆନ୍ତି। ଅନେକ ସମୟରେ ଏହି କାରଣରୁ ଶିଶୁଙ୍କ ଶ୍ବାସରୁଦ୍ଧ ହୋଇ ଜୀବନ ଚାଲିଯିବାର ଅନେକ ଘଟଣା ସାମ୍ନାକୁ ଆସିଛି।

Advertisment

ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ସମୟ ଥାଉଥାଉ ଡାକ୍ତର ଶିଶୁ ନାକର ଅସ୍ତ୍ରୋପଚାର କରି ତାର ଜୀବନ ବଞ୍ଚାଇ ଦେଇଛନ୍ତି। କାରଣ ଭିଡିଓରେ ଦେଖିବାକୁ ମିଳୁଥିବା ଶିଶୁ ନାକରେ ମାସେ ହେବ ଅଜଣାତରେ ଏକ ଜୋକ ପଶି ଯାଇଥିଲା। ଏହି ଜୋକ ଶିଶୁ ନାକରୁ କ୍ରମାଗତ ଭାବେ ରକ୍ତ ଶୋଷି ଚାଲିଥିଲା। ଶିଶୁ ନାକରେ ଯନ୍ତ୍ରଣା ହେଉଥିବା  ପରିବାରଲୋକଙ୍କୁ ଜଣାଇଥିଲା। କିନ୍ତୁ ପରିବାରଲୋକ ଏହାକୁ ହେଳା କରି ଦେଇଥିଲେ। ପରେ ଶିଶୁ ନାକରୁ ରକ୍ତ ବାହାରିବା ପରେ ପରିବାରଲୋକ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲେ।

ଡାକ୍ତର ଶିଶୁ ନାକର ଏକ୍ସ-ରେ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ଏକ୍ସ-ରେ ରିପୋର୍ଟରୁ ଶିଶୁ ନାକରେ ଜୋକ ଥିବା ଡାକ୍ତରମାନେ ଦେଖିବାକୁ ପାଇଥିଲେ।  ଅନେକ ଚେଷ୍ଟା ପରେ ଡାକ୍ତରମାନେ ନାକରୁ ଜୋକକୁ ବାହାର କରି ଶିଶୁର ଜୀବନ ବଞ୍ଚାଇ ଦେଇଛନ୍ତି।
 

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଉକ୍ତ ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଶିଶୁ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ତାଙ୍କ ନାକର ଅସ୍ତ୍ରୋପଚାର କରୁଥିବା ଦେଖିବାକୁ ମିଳୁଛି।  ଏହି ଅସ୍ତ୍ରୋପଚାରରେ ଡାକ୍ତର ଶିଶୁର ନାକରୁ ଏକ ଜୋକ ବାହାର କରୁଥିବା ବି  ନଜରକୁ ଆସିଛି।