ବେଙ୍ଗାଲୁରୁ: କର୍ଣ୍ଣାଟକର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ ହର୍ଷ ବର୍ଦ୍ଧନ ସିଂହଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କ ପୈତୃକ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି।
୨୬ବର୍ଷୀୟ ଆଇପିଏସ ଅଧିକାର ହର୍ଷ ବର୍ଦ୍ଧନଙ୍କ ମୃତ୍ୟୁକୁ ନେଇ ତାଙ୍କ ବନ୍ଧୁ ପରିବାର ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ସଡ଼କ ଦୁର୍ଘଟଣାରେ ହର୍ଷ ବର୍ଦ୍ଧନଙ୍କ ମୃ୍ତ୍ୟୁପରେ ଅଧିକାରୀଙ୍କ ସାଙ୍ଗସାଥୀମାନେ ସୋସିଆଲ ମିଡିଆରେ ଭାବବିହ୍ବୋଳ ପୋଷ୍ଟ ସେୟାର କରୁଛନ୍ତି।
ଏହି କ୍ରମରେ ମୃତ ଆଇପିଏସ ଅଧିକାରୀଙ୍କ ଦାଦା କମଳେଶ କହିଛନ୍ତି,‘ ହର୍ଷବର୍ଦ୍ଧନଙ୍କ ପିତା ଅଖିଳେଶ ସିଂ ମଧ୍ୟପ୍ରଦେଶର ଏସଡିଏମ ଅଛନ୍ତି। ସାନଭାଇ ଆନନ୍ଦ ବର୍ଦ୍ଧନ ଜଣେ ଆଇଆଇଟି ଇଞ୍ଜିନିୟର ହୋଇଥିବାବେଳେ ସେ ୟୁପିଏସସି ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି।
ହର୍ଷ ବର୍ଦ୍ଧନ ଇନ୍ଦୋର ଏନଆଇଟିରୁ ବିଟେକ୍ କରିଛନ୍ତି। ହର୍ଷ ବର୍ଦ୍ଧନ ମଧ୍ୟପ୍ରଦେଶରେ ହିଁ ପାଠପଢ଼ିଛନ୍ତି। ପୂର୍ଣ୍ଣିୟ ଜିଲ୍ଲାର ବାୟସାଠାରେ ହର୍ଷ ବର୍ଦ୍ଧନ ପଞ୍ଚାୟତିରାଜ ଅଧିକାରୀ ଭାବରେ ପ୍ରାୟ ଦୁଇମାସ ତାଲିମ ନେଇଥିଲେ। ଏହି ସମୟ ମଧ୍ୟରେ ୟୁପିଏସସି ଫଳାଫଳ ଆସିଥିଲା। ଇଣ୍ଟରଭ୍ୟୁରେ ସଫଳ ହେବା ପରେ ସେ ବିହାର ସରକାରଙ୍କ ଚାକିରି ଛାଡି ଦେଇଥିଲେ।
ଅନେକ ପରିଶ୍ରମ କରି ଆଇପିଏସ ଅଧିକାରୀ ହେବାପରେ ହର୍ଷ ବର୍ଦ୍ଧନ ଡିୟୁଟିରେ ଯୋଗ ଦେବାକୁ ଯାଉଥିଲେ । ଡିୟୁଟିର ପ୍ରଥମ ଦିନ ହିଁ ସେ ସଡ଼କ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ।
ଏହି ଦୁଃଖଦ ଘଟଣାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ ହର୍ଷ ବର୍ଦ୍ଧନ ସିଂହଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।