ଜେଏନୟୁ ହିଂସାକାଣ୍ଡ : ବାମପନ୍ଥୀ ଛାତ୍ରଛାତ୍ରୀମାନେ ହିଂସାକାଣ୍ଡ ଘଟାଇଥିବା ଦିଲ୍ଲୀ ପୁଲିସର ଦାବି

ନୂଆଦିଲ୍ଲୀ : ଜେଏନୟୁ ହିଂସା ମାମଲାରେ କେତେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି  ଦିଲ୍ଲୀ ପୁଲିସ । ବାମପନ୍ଥୀ ଛାତ୍ରଛାତ୍ରୀମାନେ ହିଁ ଏହି ହିଂସାକାଣ୍ଡ ଘଟାଇଥିଲେ ବୋଲି ପୁଲିସ କହିଛି । ଶୁକ୍ରବାର ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ପୁଲିସ ହିଂସାକାଣ୍ଡ ପଛରେ ଏବିଭିପି ଛାତ୍ରଙ୍କ ହାତ ନ ଥିବା ସ୍ପଷ୍ଟ କରିଛି।

ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିସିପି ଜୟ ତିର୍କି କହିଛନ୍ତି ଯେ ଜେଏନୟୁ ଛାତ୍ରସଂଘ ସଭାପତି ଐଶୀ ଘୋଷ ହିଁ ଏହି ହିଂସାକାଣ୍ଡ ଘଟାଇଥିବା ଦଳର ନେତୃତ୍ୱ ନେଇଥିଲେ । ଜାନୁଆରି ୫ ସଂଧ୍ୟାରେ ଏମାନେ ହିଁ ପେରିୟାର ହଷ୍ଟେଲରେ ଯାଇ ଆକ୍ରମଣ କରିଥିଲେ । ଏହି ଘଟଣାରେ ୯ ଜଣ ସଂଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ତେବେ ଏହି ମାମଲାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।  ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ଏବେ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ସ୍ଥିତି ନିୟନ୍ତ୍ରଣରେ ରହିଛି । ଏବେ ବି ପୁଲିସ  ଜେଏନୟୁ କ୍ୟାମ୍ପସରେ ମୁତୟନ ରହିଛନ୍ତି।

New Indian Express

ଏହି ମାମଲାର ତଦନ୍ତ ପାଇଁ ଗତ ସୋମବାରଦିନ ଦିଲ୍ଲୀ ପୁଲିସ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା । ଦିଲ୍ଲୀ ପୁଲିସର ଜଣେ ଯୁଗ୍ମ କମିଶନରଙ୍କ ନେତୃତ୍ୱରେ ଏହି ତଦନ୍ତକାରୀ ଦଳ ଗଠନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ରବିବାର ରାତିରେ କେତେକ ମୁଖାପିନ୍ଧା ଦୁର୍ବୃତ୍ତ ଲାଠି ଓ ଲୁହାଛଡ଼ ଧରି  ଜେଏନୟୁରେ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ପାଇଁ ବାମପନ୍ଥୀ ଛାତ୍ରସଂଗଠନ ଏସଏଫଆଇ ଓ ବିଜେପି ସଂପର୍କିତ ଛାତ୍ରସଂଘ ଏବିଭିପି ପରସ୍ପରକୁ ଦୋଷ ଦେଇଥିଲେ।

ସମ୍ବନ୍ଧିତ ଖବର