ଆଜିଠୁ ଲିଜେଣ୍ଡ୍ସ ଟେନିସ ଲିଗ୍‌

ନୂଆଦିଲ୍ଲୀ : ପ୍ରଥମ ଥର ଲାଗି ଲିଜେଣ୍ଡ୍ସ ଟେନିସ ଲିଗ୍‌ (ଏଲ୍‌ଟିଏଲ୍‌) ନୂଆଦିଲ୍ଲୀସ୍ଥିତ ଆର୍‌କେ ଖାନ୍ନା ଟେନିସ ଷ୍ଟାଡିୟମଠାରେ ଶୁକ୍ରବାରଠୁ ଆରମ୍ଭ ହେବ। ଦିଲ୍ଲୀ ଲନ୍‌ ଟେନିସ ସଂଘ (ଡିଏଲ୍‌ଟିଏ)ର ସହଯୋଗରେ ଆଇଟିଏଫ୍‌ ମାଷ୍ଟର୍ସରେ ଖେଳିଥିବା ଭାରତର ବରିଷ୍ଠ ଟେନିସ ଖେଳାଳିମା‌ନେ ଏହି ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ରବିବାର ପର୍ଯ୍ୟନ୍ତ ଏହି ଲିଗ୍‌ ଖେଳାଯିବ। ‘‘ଭାରତ, ସିଙ୍ଗାପୁର ଓ ଆମେରିକାରର କିଛି ପ୍ରମୁଖ ବରିଷ୍ଠ ଖେଳାଳିଙ୍କୁ ସ୍ବାଗତ କରିବାର ସୁଯୋଗ ପାଇଥିବାରୁ ଆମେ ଗର୍ବିତ। ସମସ୍ତ ଖେଳାଳି ଏହି ପ୍ରତିଯୋଗିତାରେ ଖେଳିବାକୁ ଉତ୍ସାହର ଚାହିଁ ରହିଛନ୍ତି। ଏହା ଏକ ସୁନ୍ଦର ପ୍ରତିଯୋଗିତା ହେବ।’’ ବୋଲି ଆୟୋଜକ ଓଡ଼ିଆ ପୁଅ ଦିଲ୍ଲୀପ ମହାନ୍ତି କହିଛନ୍ତି।

ଏହି ଉଦ୍‌ଘାଟନୀ ଋତୁରେ ୬ ଦଳ ଅକ୍ରୋସ ଏସ୍‌ର୍ସ, ଅଭିରାଜ ୱାରିୟର୍ସ, ବା‌ଙ୍ଗାଲୋର ଚ୍ୟାଲେଞ୍ଜର୍ସ, ପଞ୍ଜାବ ଏସେସ୍‌, ରିବାଉଣ୍ଡ ଏସ୍‌ ଷ୍ଟାଗ୍‌ ‌ବାବୋଲାଟ ଯୋଦ୍ଧା ଏବଂ ଟେନିସ ଟାଇଟାନ୍ସ ଫ୍ରାଞ୍ଚାଇଜ୍‌ ଭାଗ‌ନେବେ। ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ମ୍ୟାଚ୍‌ ଖେଳିବେ। ଶ୍ରେ‌ଷ୍ଠ ୪ ଦଳ ଫାଇନାଲ୍‌ ରାଉଣ୍ଡକୁ ଯିବେ। ଏହି ଦଳଗୁଡ଼ିକ ଆଇପିଏଲ୍‌ ପରି କ୍ବାଲିଫାୟର୍ସ, ଏଲିମିନେଟର୍ସ ଓ ଫାଇନାଲ୍‌ ଖେଳିବେ। ଏହି ଲିଗ୍‌ରେ ୩୦ରୁ ୭୦ ବର୍ଷ ବୟସର ୫୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ପ୍ରମୁଖ ତାରକାଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ଡେଭିସ କପ୍‌ ଏବଂ ବିଲି ଜିନ୍‌ କିଙ୍ଗ କପ୍‌ ଖେଳାଳି ରଣଜିତ ଭିରାଲି-ମୁରୁଗାନ, ବିବେକ ଶୋକିନ, ବିଜୟନ୍ତ ମଲିକ ଓ ରାଧିକା ତୁଲ‌ପୁ‌ଲେ-କାନିତକର।

ସମ୍ବନ୍ଧିତ ଖବର