ରାଜ୍ୟ ସଭା ସଂଖ୍ୟାଗରିଷ୍ଠତା:୩ ରାଜ୍ୟ ଉପରେ ବିଜେପିର ନଜର

ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୨୦୨୦ ନଭେମ୍ବର ସୁଦ୍ଧା ରାଜ୍ୟସଭାରେ ସଂଖ୍ୟାଗରି‌ଷ୍ଠତା ହାସଲ କରିବ ବୋଲି ସମ୍ଭାବନା ପ୍ରକାଶ ପାଇଛି। ତେବେ ଏଥିପାଇଁ ବିଜେପିକୁ ୩ଟି ରାଜ୍ୟ ମହାରାଷ୍ଟ୍ର, ହରିୟାଣା ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଜିତିବାକୁ ହେବ। ୨୦୧୯ରେ ରାଜ୍ୟସଭାରେ ୧୦ ଆସନ ଖାଲି ହେବାକୁ ଥିବାବେଳେ ୨୦୨୦ରେ ୭୨ ଆସନ ଖାଲି‌ହେବ। ଏହି ୭୨ଟି ଆସନରୁ ଏପ୍ରିଲରେ ୫୦ ଆସନ ଖାଲି ହେବାକୁ ଥିବାବେଳେ ଜୁନ୍‌ରେ ୫, ଜୁଲାଇରେ ୧ ଏବଂ ନଭେମ୍ବରରେ ୧୧ଟି ଆସନ ଖାଲି ହେବାର ଅଛି। ଏଥିପାଇଁ ଆଗାମୀ ଦିନରେ ମହାରାଷ୍ଟ୍ର, ହରିୟାଣା ଏବଂ ଝାଡ଼ଖଣ୍ଡରେ ହେବାକୁ ଥିବା ନିର୍ବାଚନ ଉପରେ ଏବେ ବିଜେପିର ନଜର ରହିଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ବିଜେପି ବିଧାନସଭା ନିର୍ବାଚନ ହାରିଥିବାରୁ ବିଜେପିକୁ ମ୍ୟାଜିକ୍‌ ନମ୍ବର ପାଇବାପାଇଁ ଆସନ୍ତା ବର୍ଷ ନଭେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେବେ ୨୦୧୯ରେ ରାଜ୍ୟସଭାରେ ପୂରଣ ହେବାକୁ ଥିବା ଆସନ ଗୁଡ଼ିକ ମଧ୍ୟରେ ଆସାମର ୨, ତାମିଲନାଡ଼ୁର ୬, ବିହାରର ୧ ଏବଂ ଓଡ଼ିଶାର ୧ଟି ଆସନ ରହିଛି। ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନଥିବାରୁ ମୋଦୀ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ବିଧେୟକ ଅଟକି ରହିଛି। ଏବେ ରାଜ୍ୟସଭାରେ ଏନ୍‌ଡିଏର ୧୦୨ ସଦସ୍ୟ ଅଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତୃତ୍ବାଧୀନ ୟୁପିଏର ୬୫ ସଦସ୍ୟ ଅଛନ୍ତି। ଏନ୍‌ଡିଏ ଏବଂ ୟୁପିଏ ମେଣ୍ଟରେ ନଥିବା ଅନ୍ୟ ଦଳର ସଦସ୍ୟ ସଂଖ୍ୟା ହେଉଛନ୍ତି ୭୩। ରାଜ୍ୟସଭାରେ ୪ ଜଣ ମନୋନୀତ ସଦସ୍ୟ ଅଛନ୍ତି। ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ କୌଣସି ବିଧେୟକ ପାରିତ କରିବାପାଇଁ ୧୨୩ ଜଣଙ୍କ ସମର୍ଥନ ଦରକାର।
ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସଂସଦରେ ଆଉ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ଚଳିତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ତୁମକୁର ଆସନରୁ ହାରି ଯାଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆସନ୍ତା ମାସ‌ରେ ରାଜ୍ୟସଭାରୁ ଅବସର ନେବେ। ମନମୋହନ ସିଂହ ଏବେ ଆସାମରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। କିନ୍ତୁ ମନମୋହନଙ୍କ ଅବସର ପ‌ରେ କଂଗ୍ରେସ ତାଙ୍କ ଆସନ ଅକ୍ତିଆର କରିପାରିବ ନାହିଁ ବୋଲି ଜଣାପଡ଼ିଛି। ମନମୋହନ ସିଂହଙ୍କ ସମେତ ଆସାମରୁ ଅନ୍ୟ ଜଣେ ସଦସ୍ୟ ମଧ୍ୟ ଜୁନ୍‌ ୧୪ରେ ଅବସର ନେବାର ଅଛନ୍ତି। ଏହି ଦୁଇଟି ଯାକ ଆସନ ବିଜେପି ନିଜର ସଂଖ୍ୟା ବଳରେ ସହଜରେ ହାସଲ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର