ରାସ୍ତାରୁ ମିଳିଲା ଗୋଡ଼ ବନ୍ଧା ହୋଇଥିବା ୯୦ କୁକୁରଙ୍କ ମୃତଶରୀର, ମାମଲା ରୁଜୁ

ମୁମ୍ବାଇ: ମହାରାଷ୍ଟ୍ରର ବୁଲ୍‌ଧାନା ଜିଲ୍ଲାରେ ଗୋଡ଼ ଓ ଥୋମଣି ବନ୍ଧା ହୋଇଥିବା ଅନ୍ୟୂନ ୯୦ଟି ମଲା ବୁଲାକୁକୁର ମିଳିଥିବା ହୋଇଥିବା କଥା ରବିବାର ଦିନ ପୁଲିସ କହିଛି।

ଗୁରୁବାର ସନ୍ଧ୍ୟା ବେଳେ ସେ ମଲା କୁକୁରଗୁଡ଼ିକୁ ପୂର୍ବ ମହାରାଷ୍ଟ୍ର ଜିଲ୍ଲାର ଅରଣ୍ୟାଞ୍ଚଳ ଅନ୍ତର୍ଗତ ଗିର୍ଦା-ସବାଲଦାବରା ରାସ୍ତାର ବିଭିନ୍ନ ସ୍ଥାନରେ ଫିଙ୍ଗା ଯାଇଥିଲା ବୋଲି ଜଣେ ସରକାରୀ କର୍ତ୍ତୃପକ୍ଷ କହିଛନ୍ତି।

ସେ କହିଛନ୍ତି: ରାସ୍ତା ପାର୍ଶ୍ୱର ପାଞ୍ଚଟି ସ୍ଥାନରେ ୧୦୦ରୁ ଅଧିକ କୁକୁର ପଡ଼ିଥିବାର ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୦ଟି ମରିଯାଇଥିବା ବେଳେ ଆଉ କେତୋଟି ବଞ୍ଚିଥିଲେ।

ସେ ଅଞ୍ଚଳରୁ ଉତ୍କଟ ଦୁର୍ଗନ୍ଧ ଆସିବାରୁ ଘଟଣାଟି ଲୋକଲୋଚନକୁ ଆସିଥିଲା।

Image Source: NDTV

ଗ୍ରାମାବାସୀ ଗାଁ ଚୌକିଦାରକୁ କହିବା ପରେ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ପୁଲିସ କର୍ମଚାରୀ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବଞ୍ଚିଥିବା କୁକୁରଗୁଡ଼ିକୁ ବନ୍ଧନ ମୁକ୍ତ କରିଥିଲେ।

ଜଣେ ଫରେଷ୍ଟ୍‍ ଗାର୍ଡ ଅଭିଯୋଗ ଦାଏର କରିବା ପରେ ଅଜ୍ଞାତ ହତ୍ୟାକାରୀଙ୍କ ବିରୋଧରେ ‘ପ୍ରିଭେନ୍‌ସନ୍‌ ଅଫ୍‌ କ୍ରୁଏଲ୍‌ଟି ଟୁ ଆନିମଲ୍‌ ଆକ୍ଟ୍‌, ୧୯୬୦ ଏବଂ ଆଇପିସି ଆଧାରରେ ରବିବାର ଦିନ ମାମଲା ରୁଜୁ କରାଯାଇଛି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କୁକୁରଗୁଡ଼ିକର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ପୁଲିସର ସନ୍ଦେହ ହେଉଛି କି, ସହରାଞ୍ଚଳରୁ କୁକୁରଗୁଡ଼ିକୁ ଧରାଯାଇ ହତ୍ୟା କରାଯିବା ପରେ ମଢ଼ଗୁଡ଼ିକୁ ଜଙ୍ଗଲିଆ ଅଞ୍ଚଳରେ ଫିଙ୍ଗିଦିଆଯାଇଛି। ଏ ସଂକ୍ରାନ୍ତରେ କୁକୁର ଧରାଳିମାନଙ୍କୁ ପଚରା ଉଚୁରା କରାଯାଉଛି।

ସମ୍ବନ୍ଧିତ ଖବର