ଲଦାଖ: ବୁଧବାର ଦିନ ଲେହ-ଲଦାଖରେ ଯୁବ ପ୍ରଦର୍ଶନକାରୀଙ୍କ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି। ରାସ୍ତାରେ ପ୍ରତିବାଦ କରୁଥିବା ଜେନ୍-ଜିମାନେ ବିଜେପି କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ସହ ପଥର ମାଡ଼ କରିଛନ୍ତି। ଏହା ସହ ଏକ ପୁଲିସ ଗାଡ଼ିକୁ ମଧ୍ୟ ଜାଳି ଦିଆଯାଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ପ୍ରଦର୍ଶନକାରୀମାନେ ରାଜ୍ୟ ମାନ୍ୟତା ଏବଂ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରି ବିରୋଧ ପ୍ରଦର୍ଶନ କରୁଛନ୍ତି। ପରିସ୍ଥିତି ଖରାପ ହେଉଥିବା ଦେଖି ସ୍ଥାନୀୟ ପୁଲିସ ପ୍ରତିବାଦ ସ୍ଥଳରେ ଅତିରିକ୍ତ ଫୋର୍ସ ମୁତୟନ କରିବାରୁ ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଛି।

y

ତେବେ ବର୍ତ୍ତମାନ ସମୟରେ ଏପରି ସଂଘର୍ଷ ହେବା ପ୍ରଥମ ଘଟଣା ନୁହେଁ। ବୁଧବାର ଦିନ ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କ ଉପରେ ଚାପ ପକାଇବାକୁ ଲଦାଖ ବନ୍ଦ ଡାକରା ଦେଇଥିଲେ। ଏହି ସମୟରେ ବନ୍ଦ ଡାକରା ହିଂସାତ୍ମକ ମୋଡ଼ ନେଇଥିଲା। ଆଜିର ଧର୍ମଘଟ ଏବଂ ସଂଘର୍ଷ ଏହି ଅଞ୍ଚଳରେ ବଢ଼ୁଥିବା କ୍ରୋଧ ଏବଂ ଅଶାନ୍ତିକୁ ପ୍ରତିଫଳିତ କରିଛି। ଲଦାଖର ଲୋକଙ୍କ ଦାବି ଉପରେ ଆଲୋଚନା ପୁନଃ ଆରମ୍ଭ କରିବାକୁ ଅକ୍ଟୋବର ୬ତାରିଖରେ ଲଦାଖ ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। 

New Project (3)

କୁହାଯାଉଛି ଯେ, ଗତ ୧୫ ଦିନ ଧରି ଲଦାଖରେ ପ୍ରତିବାଦ ଜାରି ରହିଛି। ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ୨ସପ୍ତାହ ହେଲାଣି ଅନଶନରେ ବସିଛନ୍ତି। ତାଙ୍କ ସହ ଅନଶନରେ ବସିଥିବା ୧୫ଜଣ ପ୍ରତିବାଦକାରୀଙ୍କ ମଧ୍ୟରୁ ୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅସୁସ୍ଥ ହେବା ପରେ ଦୁଇଜଣ ମହିଳା ପ୍ରତିବାଦକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ବୋଲି ଜଣାଯାଇଛି। ଦୁଇଜଣ ମହିଳା ପ୍ରତିବାଦକାରୀଙ୍କୁ ହସ୍ପିଟାଲ ନିଆଯାଉଥିବା ଜାଣି ପ୍ରଦର୍ଶନକାରୀମାନେ ଲେହ ହିଲ୍ କାଉନସିଲ୍ କୋଠାରେ ପଥର ମାଡ଼ କରିବା ଆରମ୍ଭ କରିଥିଲେ। ଏହା ପରେ ଧୀରେ ଧୀରେ ସ୍ଥିତି ଅଣାୟତ୍ତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯିବାରୁ ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

leh-ladakh | gen-z-protest