ଇଂଲଣ୍ଡରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ : ବ୍ରିଟିଶ ସରକାରଙ୍କ ନିକଟରେ ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ : ବ୍ରିଟେନର ଲିସେଷ୍ଟରଠାରେ ହୋଇଥିବା ହିନ୍ଦୁ ବିରୋଧୀ ହିଂସାକୁ ନେଇ ଭାରତ ସରକାର ବ୍ରିଟିଶ ସରକାରଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବ୍ରିଟିଶ ବିଦେଶିକ ସଚିବ ଜେମ୍ସ କ୍ଲେଭରଲିଙ୍କୁ ଭେଟି ଲିସେଷ୍ଟରରେ ଥିବା ହିନ୍ଦୁ ସଂପ୍ରଦାୟ ଓ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତର ଚିନ୍ତାକୁ ଜଣାଇଦେଇଛନ୍ତି ।

ଏ ସମ୍ପର୍କରେ ଏକ ଟୁଇଟ କରି ଜୟଶଙ୍କର ଲେଖିଛନ୍ତି, ବ୍ରିଟେନରେ ଥିବା ଭାରତୀୟ ସଂପ୍ରଦାୟଙ୍କ ସୁରକ୍ଷା ସଂପର୍କିତ ଚିନ୍ତାକୁ କ୍ଲେଭରଲିଙ୍କୁ ଜଣାଇଦେଇଛି । ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି ।

ଗତ ମାସରେ ହୋଇଥିବା ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ପରେ ବ୍ରିଟେନରେ ରହୁଥିବା ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ଏହି ବିବାଦ ହିଂସାର ରୂପ ନେଇଥିଲା ।

ଗତ ସପ୍ତାହରେ କିଛି ମୁସଲିମ ଗୋଷ୍ଠୀ ଲିସେଷ୍ଟର ଓ ଅନ୍ୟ କେତେକ ସ୍ଥାନରେ ଥିବା ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ସହିତ ସେମାନେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରି ଭଙ୍ଗାରୁଜ୍ଜା କରିଥିଲେ । ଏହାର କିଛି ଦିନ ପରେ ବର୍ମିହାମରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ବି ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ନେଇ ବ୍ରିଟେନରେ ଥିବା ଭାରତୀୟ ହାଇ କମିଶନର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଘଟଣାକୁ ନିନ୍ଦା କରିଥିଲେ ।

 

 

 

ସମ୍ବନ୍ଧିତ ଖବର