ଅଗରତାଲା : ତ୍ରିପୁରାରେ ବିଜେପିର ଐତିହାସିକ ବିଜୟ ସହ ଦକ୍ଷିଣ ପନ୍ଥୀ ଓ ବାମପନ୍ଥୀ ଦଳଙ୍କ ମଧ୍ୟରେ ଚାଲିଥିବା ବିବାଦ ଚରମ ସୀମାରେ ପହଞ୍ଚିଛି । ଗତକାଲି ବିଜେପି ସମର୍ଥକମାନେ କମ୍ୟୁନିଷ୍ଟ ମତବାଦର ପ୍ରବାଦ ପୁରୁଷ ଭ୍ଲାଦିମିର ଲେନିନଙ୍କ ଏକ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେବା ପରେ ତାହାକୁ ବାମଦଳଗୁଡ଼ିକ ପ୍ରବଳ ବିରୋଧ କରିଛନ୍ତି । ବିଜେପିର ଏହା ତାଲିବାନୀ ଶାସନ ବୋଲି ସିପିଆଇଏମ ପକ୍ଷରୁ କୁହାଯାଇଛି । ଦଳ ପକ୍ଷରୁ ଟ୍ଵିଟ କରି କୁହାଯାଇଛି ଯେ ରାଜ୍ୟରେ ଚାଲିଥିବା ହିଂସା ପଛରେ ସିଧାସଳଖ ବିଜେପି/ଆରଏସଏସ ନେତା ଓ ରାଜ୍ୟପାଳଙ୍କ ସମର୍ଥନ ରହିଛି ।

Advertisment

କିନ୍ତୁ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମୂର୍ତ୍ତି ଭଙ୍ଗାଘଟଣାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ଲେନିନ ଜଣେ ବିଦେଶୀ, ଏକ ପ୍ରକାରର ଆତଙ୍କବାଦୀ । ଭାରତରେ ତାଙ୍କ ପ୍ରତିମୂର୍ତ୍ତିର ସ୍ଥାନ ନାହିଁ । ବାମପନ୍ଥୀମାନେ ଚାହିଁଲେ ନିଜ ଅଫିସରେ ତାଙ୍କ ପ୍ରତିମୂର୍ତ୍ତି ରଖି ପୂଜା କରିପାରନ୍ତି ।
ଅନ୍ୟପକ୍ଷରେ ତ୍ରିପୁରାରେ ବିଜେପି ଜିତିବା ପରେ ସାରା ରାଜ୍ୟରେ ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଯାଇଛି । ଏହି ହିଂସା ଯୋଗୁଁ ଉଭୟ ଦଳର ଅଫିସ କ୍ଷତିଗ୍ରସ୍ତ ହୋଇଛି । ହିଂସା ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ତ୍ରିପୁରା ରାଜ୍ୟପାଳ ଓ ଡିଜିପିଙ୍କୁ ଫୋନ କରି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ନୂଆ ସରକାର ଶପଥ ନେବା ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବାକୁ ସେ କହିଛନ୍ତି ।