ଆସାମରେ ଚିତାବାଘକୁ ପିଟିପିଟି ହତ୍ୟା: ବାଘ ମରଶରୀର ଧରି ଗାଁ ପରିକ୍ରମା କଲେ, ଦାନ୍ତ, ନଖ କାଢ଼ିନେଲେ

ପାକିସ୍ତାନର ରେଳମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସଂକ୍ରମିତ

 

ଗୌହାଟୀ: କେରଳ ଏବଂ ହିମାଚଳ ପ୍ରଦେଶ ପରେ ଏବେ ପୁଣି ଆସାମରେ ଆଉ ଏକ ବର୍ବରତା ଦେଖିବାକୁ ମିଳିଛି। ଆସାମର ଗୌହାଟୀ ଅଧୀନ ଗୋରଚୁକ୍‌ ଅଞ୍ଚଳରେ ଏକ ଚିତାବାଘକୁ ଅତି ନିର୍ଦ୍ଦୟ ଭାବେ ପିଟିପିଟି ହତ୍ୟା କରାଯାଇଛି। ଖାଲି ସେତିକି ନୁହେଁ ଅଭିଯୁକ୍ତମାନେ ଚିତାବାଘଟିକୁ ହତ୍ୟା କରିବାପରେ ତା’ର ଦାନ୍ତ ଏବଂ ନଖ କାଢ଼ିନେଲେ ଏବଂ ପରେ ଚିତାର ଶରୀରକୁ ଧରି ଗାଁ ପରିକ୍ରମା କରିଥିଲେ। ଅଭିଯୁକ୍ତମାନେ ଚିତାବାଘ ମାରିବାକୁ ଏକ ବଡ଼ ବିଜୟ ବୋଲି ଭାବିଥିଲେ ଏବଂ ବାଘ ମାରିବାପରେ ଅତ୍ୟନ୍ତ ଖୁସି ମନାଇ ବାଘର ଶରୀରକୁ ଧରି ଗାଁ ସାରା ପରେଡ୍‌ କରିଥିଲେ। ଗୋରଚୁକ୍‌ ସ୍ଥିତ କତାବରିରେ ଗତକାଲି ଏହି ଘଟଣା ଘଟିଛି। ଚିତାବାଘଟି ଗତ କିଛିଦିନ ଧରି ଖାଇନଥିଲା। ଖାଦ୍ୟ ଅନ୍ବେଷଣରେ ସେ ଜନବସତି ଅଞ୍ଚଳକୁ ପଶି ଆସିଥିଲା। କିନ୍ତୁ କିଛି ଲୋକ ଚିତାବାଘଟିକୁ ଏକ ଦଉଡ଼ି ଦ୍ବାରା ଧରି ନେଇଥିଲେ। ପରେ ‌ସେମାନେ ବାଘଟିକୁ ଜଙ୍ଗଲ ମଧ୍ୟକୁ ଟାଣିନେଇ ତାକୁ ପିଟିପିଟି ମାରି ଦେଇଥିଲେ।

ଏହି ଚିତାବାଘର ବୟସ ପ୍ରାୟ ୮ ବର୍ଷ। ସେ କାହାର କିଛି କ୍ଷତି କରିନଥିଲା କି କାହାକୁ କିଛି ଅସୁବିଧାରେ ପକାଇ ନଥିଲା। ତେବେ ସୋ‌ସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବାପରେ ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ମାମଲାରେ ଜଣେ ନାବାଳକ ସମେତ ୬ ଜଣ ଗିରଫ ହୋଇଛନ୍ତି। ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୋଜିବାପାଇଁ ପ୍ରୟାସ ଆରମ୍ଭ ହୋଇଛି। ବନ ବିଭାଗକୁ ଏନେଇ ଖବର ଦିଆଯାଇଥିଲେ ମଧ୍ୟ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ ନିଆଯାଇ ନଥିଲା। ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିବାପରେ ଅଭିଯୁକ୍ତମାନେ ବାଘଟିକୁ ଜଙ୍ଗଲକୁ ନେଇ ମାରି ଦେଇଥିଲେ।

ସମ୍ବନ୍ଧିତ ଖବର