ଦୁଃଖଦ ଘଟଣା: ବାପାଙ୍କ ସାମ୍ନାରୁ ୧୬ବର୍ଷର ଝିଅକୁ ଝାମ୍ପି ନେଲା ଚିତାବାଘ

ସିଓନି: ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ ଏକ ଚିତାବାଘ ଜଣେ ୧୬ବର୍ଷର ଝିଅକୁ ତାର ବାପାଙ୍କ ସାମ୍ନାରେ ମାରି ଦେଇଛି। ଏହି ଘଟଣା ଘଟିବା ସମୟରେ ଝିଅର ବାପା ଉପରେ କ’ଣ ବିତୁଥିବ ତାହା ସମସ୍ତେ ଅନୁମାନ କରି ପାରୁଥିବେ।

ଏହି ଘଟଣାଟି ଗତଶନିବାର ଅପରାହ୍ନରେ ସିଓନି ଜିଲ୍ଲାର ପାଣ୍ଡିଭାଡା ଗ୍ରାମ ନିକଟ କାହ୍ନିୱାଡାରେ ଘଟିଛି। ଫରେଷ୍ଟ ରେଞ୍ଜର ଯୋଗେଶ ପଟେଲ କହିଛନ୍ତି ଯେ, ପଶୁ ଚରାଇବା ପାଇଁ ବାପା ଓ ଝିଅ ଜଙ୍ଗଲକୁ ଯାଇଥିଲେ।

ଅଧିକାରୀଙ୍କ କହିବାନୁସାରେ, ଚିତାବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା ଝିଅର ନାମ ରବିନା ଯାଦବ। ସେ ପଶୁମାନଙ୍କୁ ଚରାଇବା ପାଇଁ ତାଙ୍କ ବାପାଙ୍କ ସହିତ ଯାଇଥିଲେ। ବାପା ଓ ଝିଅ ପଶୁମାନଙ୍କ ସହିତ ପ୍ରାୟ ୩ କିଲୋମିଟର ଜଙ୍ଗଲ ଭିତରକୁ ଯାଇଥିଲେ। ଏହି ସମୟରେ ଚିତାବାଘ ପଛରେ ଥିବା ଝିଅକୁ ଆକ୍ରମଣ କରି ତାର ବେକକୁ ଧରି ନେଇଥିଲା। ଏହି ସମୟରେ ରବିନା ବାପା ଏକ ବାଡ଼ିରେ ଆଘାତ କରି ଚିତାବାଘକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚିତାବାଘ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲା ।

ଜଙ୍ଗଲରେ ଦୁହିଁଙ୍କ ଚିତ୍କାର ଶୁଣି ଆଖପାଖର ଲୋକମାନେ ସେଠାରେ ପହଞ୍ଚିବା ବେଳକୁ ଚିତାବାଘ ଝିଅର ମୃତଦେହକୁ ଛାଡି ସେଠାରୁ ଚାଲିଯାଇଥିଲା।

ବନ ରେଞ୍ଜର ଯୋଗେଶ ପଟେଲ କହିଛନ୍ତି ଯେ ଜଙ୍ଗଲ ବିଭାଗ ତୁରନ୍ତ ଝିଅର ପରିବାରକୁ ୧୦,୦୦୦ ଟଙ୍କା ସହାୟତା ଯୋଗାଇ ଦେଇଛି। ଏହା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅର୍ଥ ରାଶି ସାହାଯ୍ୟ କରାଯିବ।

ଅନ୍ୟ ଜଣେ ବନ ଅଧିକାରୀ କହିଛନ୍ତି ଯେ ଚିତାବାଘକୁ ଧରିବା ପାଇଁ ଏକ ପିଞ୍ଜରା ବସା ଯାଇଛି। ସେପ୍ଟେମ୍ବର ୧୫ ରେ ଅନ୍ୟ ଏକ ଘଟଣାରେ ମୋହଗାଓଁରେ ଏକ ଚିତାବାଘ ଦ୍ୱାରା ୫୦ ବର୍ଷ ବୟସ୍କା ମହିଳା ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର