୯ ବର୍ଷୀୟା ବାଳିକାକୁ ମାରି ଖାଇଦେଲା ବାଘ

ଭୋପାଳ: ମଧ୍ୟପ୍ରଦେଶ ସିଧି ଜିଲ୍ଲାର ସଞ୍ଜୟ ଟାଇଗର ରିଜର୍ଭ (ଏସଟିଆର)ର ବଫର ଜୋନ ମଧ୍ୟକୁ ଜାଳେଣି କାଠ ସଂଗ୍ରହ ଉଦ୍ଦେଶ୍ୟରେ ଯାଇଥିବା ବେଳେ ଜନୈକା ୯ ବର୍ଷୀୟା ବାଳିକାକୁ ଗୋଟିଏ ବାଘ ହତ୍ୟା କରି ଖାଇଦେଇଛି ବୋଲି ବୁଧବାର ଦିନ ଜଣେ ଅଧିକାରୀ କହିଛନ୍ତି।

ଫରେଷ୍ଟ ରେଞ୍ଜର ସଞ୍ଜୀବ ରଂଜନ ଗଣମାଧ୍ୟମକୁ ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ମଙ୍ଗଳବାର ଦିନ ଏସଟିଆର ବଫର ଜୋନ ଅଧୀନରେ ଆସୁଥିବା ମଦସ ଜଙ୍ଗଲ ରେଞ୍ଜରେ ଏହି ଘଟଣା ଘଟିଛି। ଦାଦ୍ରି ଗାଁର ବାସିନ୍ଦା ଥିବା ଝିଅଟି ତା’ ମା ଏବଂ ଅନ୍ୟ ଗ୍ରାମବାସୀଙ୍କ ସହ ନିକଟସ୍ଥ ଜଙ୍ଗଲରେ ଜାଳେଣି କାଠ ସଂଗ୍ରହ କରୁଥିବା ବେଳେ ବାଘଟି ତାକୁ ଆକ୍ରମଣ କରିଥିଲା ବୋଲି ସେ କହିଛନ୍ତି।

ବନ ଅଧିକାରୀ ରଂଜନ କହିଛନ୍ତି ଯେ ଝିଅର ମା ଏବଂ ଅନ୍ୟ ଗ୍ରାମବାସୀମାନେ ବାଘ ଉପରକୁ ପଥର ଫିଙ୍ଗି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଘଟି ବାଳିକାଟିକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଟାଣି ନେଇ ହତ୍ୟା କରିଥିଲା। ଏହି ଘଟଣାର କିଛି ଦିନ ପୂର୍ବରୁ ଏସଟିଆରର ବଫର ଜୋନରେ ଅବସ୍ଥିତ ବାଡି ଝରିଆ ଗାଁର ଜଣେ ଆଦିବାସୀ ମହିଳାଙ୍କ ପୁଅକୁ ଅନ୍ୟ ଏକ ଚିତାବାଘ ଝାମ୍ପି ନେଉଥିବା ବେଳେ ମହିଳା ଜଣକ ବାଘ ଉପରେ ଆକ୍ରମଣ କରି ପୁଅକୁ ବଞ୍ଚାଇବାରେ ସମର୍ଥ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ସିଧି ଜିଲ୍ଲାର ଜୈବ ବିବିଧତା ସମୃଦ୍ଧ ଜଙ୍ଗଲ କ୍ଷେତ୍ରକୁ ସଂରକ୍ଷଣ କରିବା ପାଇଁ ୧୯୭୫ରେ ସଞ୍ଜୟ- ଡୁବ୍ରି ଜାତୀୟ ଉଦ୍ୟାନ ଏବଂ ଟାଇଗର ରିଜର୍ଭ ପ୍ରତିଷ୍ଠା କରାଯାଇଥିଲା। ସଞ୍ଜୟ-ଡୁବ୍ରି ଟାଇଗର ରିଜର୍ଭର ଏକ ଅଂଶ ଥିବା ସଞ୍ଜୟ ଜାତୀୟ ଉଦ୍ୟାନ ବନ୍ୟଜନ୍ତୁ ପ୍ରେମୀମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ।

ସମ୍ବନ୍ଧିତ ଖବର