ସପିଙ୍ଗ୍‌ ମଲ୍‌ରେ କଲରାପତ୍ରିଆ; ତଲାସ୍‌ ଅଭିଯାନ ଜାରି

ଠାଣେ: ବୁଧବାର ପ୍ରତ୍ୟୁଷରେ ଠାଣେସ୍ଥିତ କୋରୁମ୍‌ ମଲ୍‌ରୁ ଗୋଟାଏ କଲରାପତ୍ରିଆ ବାହାରୁ ଥିବା ଦେଖା ଯାଇଛି। ସମ୍ଭବତଃ ପ୍ରାଚୀର ଚଢ଼ି କଲରାପତ୍ରିଆ ମଲ୍‌ ମଧ୍ୟରେ ପ୍ରବେଶ କରିଥିଲା।

ସିସିଟିଭି ଫୁଟେଜ୍‌ରେ ଦେଖାଯାଉଛି ବୁଧବାର ଭୋର୍‌ ପ୍ରାୟ ୫:୩୦ରେ ସେ ବନ୍ୟ ମାର୍ଜାରଟି ମଲ୍‌ ପରିଧି ବାହାରକୁ ଯାଉଛି। ସେ ମଲ୍‌ ପରିସରରୁ ବାହାରି ଚାଲି ଯାଇଥିବା କଥା ବନ ବିଭାଗ କର୍ମଚାରୀମାନେ କହୁଥିଲେ ବି ତାହାକୁ ଠାବ କରିବାକୁ ତଲାସ୍‌ ଅଭିଯାନ ଚାଲୁ ରହିଛି।

ଠାଣେର ଆଞ୍ଚଳିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ସେଲ୍‌ (ଆର୍‌ଡିଏମ୍‌ସି) ମଧ୍ୟ କଲରାପତ୍ରିଆର ଉପସ୍ଥିତି ସମ୍ବନ୍ଧରେ ଖବର ପାଇ ଘଟନାସ୍ଥଳରେ ପହଞ୍ଚିଛନ୍ତି।

ଠାଣେ ଆର୍‌ଡିଏମ୍‌ସି ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କଦମ କହନ୍ତି; ମଲ୍‌ରୁ ମିଳିଥିବା ସୂଚନା ଅନୁସାରେ କଲରାପତ୍ରିଆଟି ମଲ୍‌ର ସୁରକ୍ଷା ପ୍ରାଚୀର ଚଢ଼ି ପାର୍କିଙ୍ଗ୍‌ ଅଞ୍ଚଳକୁ ଚାଲି ଆସିଥିଲା।

ଘଟନାସ୍ଥଳରେ ପହଞ୍ଚିଥିବା ବନ ବିଭାଗ ଅଧିକାରୀମାନେ କହନ୍ତି ମଲ୍‌ ପରିଧିରୁ ବାହାରି କଲରାପତ୍ରିଆ ବସନ୍ତ ବିହାର ରେସିଡେନ୍‌ସିଆଲ୍‌ ସୋସାଇଟି ଆଡ଼କୁ ଯାଇଛି।

ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସମ୍ପୃକ୍ତ ମଲ୍‌ ଆଜି ଦିନକ ଲାଗି ବନ୍ଦ ରହିପାରେ।

ସମ୍ବନ୍ଧିତ ଖବର