ଏକ ଗଣ ବିବାହରେ ଦୁଇ ସମଲିଙ୍ଗୀଙ୍କ ମଧ୍ୟରେ ବିବାହକୁ ନେଇ ହରଡ଼ଘଣାରେ ପୁଲିସ୍‌

ଆଗ୍ରା (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଆଗ୍ରା ଠାରେ ଆୟୋଜିତ ଏକ ଗଣ ବିବାହ କାର୍ଯ୍ୟକ୍ରମରେ ଦୁଇ ସମଲିଙ୍ଗୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏମାନେ ଉଭୟେ ମହିଳା। ଏମାନଙ୍କ ମଧ୍ୟରୁ ଜଣେ ବର ସାଜିଥିବା ବେଳେ ଅନ୍ୟ ଜଣେ ବଧୂ ସାଜି ଏହି ଗଣ ବିବାହରେ ଅଂଶଗ୍ରହଣ କରିବା ସହ ପରସ୍ପରକୁ ବିବାହ କରିଥିବା ଜାଣିବାକୁ ମିଳିଛି। ଏମାନଙ୍କ ମଧ୍ୟରୁ ଜଣେ ଦଳିତ ପରିବାରର ହୋଇଥିବା ଅନ୍ୟଜଣକ ବ୍ରାହ୍ମଣ ପରିବାରର।

ଏହି ଦୁଇ ମହିଳା ନିଜ ନିଜ ଘରୁ ଲୁଚି ପଳାଇ ଆସିବା ସହ ପ୍ରତିବର୍ଷ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ଭୀମ୍‌ନଗରୀ ଅଞ୍ଚଳରେ ଆୟୋଜିତ ହେଉଥିବା ଏକ ଗଣବିବାହ କାର୍ଯ୍ୟକ୍ରମରେ ପହଞ୍ଚି ସେଠାରେ ଆୟୋଜିକମାନଙ୍କୁ ନିଜ ସଂପର୍କରେ ମିଥ୍ୟା ପ୍ରଦାନ କରି ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ପଡ଼ିଥିଲେ। ବିବାହ ପରେ ସେମାନେ ଆୟୋଜକମାନଙ୍କ ପକ୍ଷରୁ ମିଳିଥିବା ଉପହାର ସାମଗ୍ରୀ ସବୁକୁ ଧରି ନିକଟସ୍ଥ ଅନ୍ୟ ଏକ ଗ୍ରାମକୁ ପଳାଇଯିବା ସହ ସେଠାରେ ଏକ ଘରଭଡ଼ା ନେଇ ସ୍ୱାମୀ ସ୍ତ୍ରୀ ଭାବେ ରହିଥିଲେ। ପରେ ଘରୁ ନିଖୋଜ ହୋଇ ଯାଇଥିବା ଏହି ଦୁଇ ମହିଳାଙ୍କ ପରିବାର ବର୍ଗ ଯେତେବେଳେ ବହୁ ଖୋଜାଖୋଜି କରିବା ପରେ ସେମାନଙ୍କୁ ଏଅବସ୍ଥାରେ ଆବିଷ୍କାର କଲେ ଓ ପ୍ରକୃତ ଘଟଣା ବାବଦରେ ଜାଣିଲେ, ସେତେବେଳେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ।

ପରେ ଉଭୟ ପରିବାରର ଲୋକେ ଯାଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଉଭୟ ମହିଳାଙ୍କୁ ଆଣି ଏବେ ଥାନାରେ ରଖିଛି। ହେଲେ, ଉଭୟ ମହିଳା ଏବେ କେହି କହାରିକି ଛାଡ଼ି ନିଜ ପରିବାରକୁ ଫେରିବାକୁ ପ୍ରସ୍ତୁତ ନୁହନ୍ତି। କଲେଜରେ ପଢ଼ିବା ଦିନରୁ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା ଏବଂ ଏବେ ସେମାନେ ସେମାନଙ୍କ ପ୍ରେମକୁ ବିବାହ ବନ୍ଧନରେ ବାନ୍ଧି ପରସ୍ପର ସ୍ୱାମୀ ସ୍ତ୍ରୀ ଭାବେ ରହିବାକୁ ଚାହୁଁଥିବା ପୁଲିସ୍‌କୁ ରୋକ୍‌ଠୋକ୍‌ ଭାବେ ଜଣାଇ ଦେଇଛନ୍ତି। ଅନ୍ୟ ପକ୍ଷରେ ଉଭୟ ମହିଳା ସାବାଳକ ଥିବାରୁ ସେମାନଙ୍କ ବିରୋଧରେ ଏହି ମାମଲାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ସଂପର୍କରେ ପୁଲିସ୍‌ ମଧ୍ୟ କିଛି ବୁଝି ନପାରି, ହରଡ଼ଘଣାରେ ପଡ଼ିଯାଇଛି। ଏ ପରିସ୍ଥିତରେ ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆମେ ଉଭୟଙ୍କୁ ବିଚା ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇବୁ, ଏମାନଙ୍କ ସଂପର୍କରେ ସେ ଯାହା ନିଷ୍ପତ୍ତି ନେବେ ବା ଦେବେ ତାକୁ ଆମେ କେବଳ କାର୍ଯ୍ୟକାରୀ କରିବୁ।

ସମ୍ବନ୍ଧିତ ଖବର