ଜୁନରେ ଓଡ଼ିଶାରେ ୪୦ ପ୍ରତିଶତ ବର୍ଷା ନିଅଣ୍ଟ : ସ୍କାଏମେଟ୍

ଭୁବନେଶ୍ବର : ଚଳିତ ଜୁନ ମାସରେ ଏପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ବାଭାବିକ ବର୍ଷା ହୋଇଛି । ଜୁନ ୧ରୁ ୨୨ ମଧ୍ୟରେ ସାରା ଦେଶରେ ୧୦୫.୮ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ବାଭାବିକ (୧୦୬ ମିଲିମିଟର)ସହ ପ୍ରାୟ ସମାନ ।

କିନ୍ତୁ ସାମଗ୍ରିକ ଭାବେ ଦେଶରେ ସ୍ବାଭାବିକ ବର୍ଷା ହୋଇଥିବା ସତ୍ତ୍ବେ ସମଗ୍ର ଦେଶରେ ଏହି ବୃଷ୍ଟିପାତର ଆବଣ୍ଟନ ଅସମାନ ରହିଛି । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ରେକର୍ଡ ପରିମାଣର ବର୍ଷା ଯୋଗୁଁ ସାମଗ୍ରିକ ଭାବେ ମୋଟ ବୃଦ୍ଧିପାତ ପରିମାଣ ବୃଦ୍ଧି ପାଇଛି । କିନ୍ତୁ ଦେଶରେ ଏକ ବଡ଼ ଭାଗ ବିଶେଷ କରି ମଧ୍ୟ ଓ ପୂର୍ବ ଭାରତରେ ନିଅଣ୍ଟିଆ ବର୍ଷା ହୋଇଛି ।

ସ୍କାଏମେଟର ଏକ ରିପୋର୍ଟ ଅନୁସାରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ବର୍ଷା ନିଅଣ୍ଟ ପରିମାଣ ଚିନ୍ତାଜନକ ଭାବେ ୩୫-୪୦ ପ୍ରତିଶତ ରହିଛି । ସେହିପରି ମହାରାଷ୍ଟ୍ରରେ ବର୍ଷା ନିଅଣ୍ଟ ପରିମାଣ ୬୧ ପ୍ରତିଶତ ଥିବାବେଳେ ଗୁଜୁରାଟରେ ୫୦ ପ୍ରତିଶତ ରହିଛି ।  ଉତ୍ତରପ୍ରଦେଶରେ ବର୍ଷା ନିଅଣ୍ଟ ପରିମାଣ ୭୩ ପ୍ରତିଶତ ରହିଛି । ଦକ୍ଷିଣ ଭାରତରେ ନିଅଣ୍ଟିଆ ସ୍ଥିତି  ସେତେଟା ଚିନ୍ତାଜନକ ନଥିଲେ ବି କେରଳରେ ନିଅଣ୍ଟ ପରିମାଣ ୫୮ ପ୍ରତିଶତ ରହିଛି । ତେବେ ଜୁନ ୧୫ ପରେ ବର୍ଷା ପରିମାଣ ବଢିଥିବାରୁ ଏସବୁ ରାଜ୍ୟରେ ସ୍ଥିତିରେ ଉନ୍ନତି ଆସିବାରେ ଲାଗିଛି । ଜୁନ ଶେଷ ସୁଦ୍ଧା ନିଅଣ୍ଟିଆ ସ୍ଥିତି ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଉତ୍ତରପୂର୍ବ ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ ଆଦିରେ ରେକର୍ଡ ପରିମାଣରେ ବୃଷ୍ଟିପାତ ହୋଇଛି । ଏଣୁ ସେଠାରେ ବନ୍ୟା ଦେଖାଦେଇଛି ।

ସମ୍ବନ୍ଧିତ ଖବର