୬ ମାସ ପ‌ରେ ଦୈନିକ ମୃତ୍ୟୁ ୩୦୦ରୁ କମ୍‌, ଭାରତର ୪ ରାଜ୍ୟରେ କୋଭିଡ୍‌ ଟିକାର ଡ୍ରାଏ ରନ୍

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁ ଦୀର୍ଘ ୬ ମାସରୁ ଅଧିକ ଦିନ ପରେ ୩୦୦ରୁ କମ୍‌ ରହିଛି। ମୋଟ୍‌ କରୋନା ମୃତ୍ୟୁ ଦେଶରେ ୧,୪୭,୩୪୩ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧, ୦୧,୬୯,୧୧୮ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨,୨୭୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୨୫୧ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୯୭,୪୦.୧୦୮କୁ ବୃଦ୍ଧି ପାଇଛି। ଆରୋଗ୍ୟ ହାର ୯୫.୭୮ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ହାର ୧.୪୫ ପ୍ରତିଶତକୁ କମି ଆସିଛି। ଲଗାତାର ୫ ଦିନ ଧରି ଦେଶରେ ସକ୍ରିୟ ମାମଲା ୩ ଲକ୍ଷରୁ କମ୍‌ ରହିଛି। ମୋଟ୍‌ ସକ୍ରିୟ ମାମଲା ୨.୮୧,୬୬୭ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୨.୭୭ ପ୍ରତିଶତ। ଅଗଷ୍ଟ ୭ରେ ଦେଶରେ ସଂକ୍ରମଣ ମାମଲା ୨୦ ଲକ୍ଷ ଟପିଥିବା ବେଳେ ଅଗଷ୍ଟ ୨୩ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ, ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ, ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦ ଲକ୍ଷ, ଅକ୍ଟୋବର ୨୯ରେ ୮୦ ଲକ୍ଷ ନଭେମ୍ବର ୨୦ରେ ୯୦ ଲକ୍ଷ ଏବଂ ଡିସେମ୍ବର ୧୯ରେ ସଂକ୍ରମଣ ୧ କୋଟି ଟପିଥିଲା।

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ଗଣ ଟିକାକରଣର ପ୍ରସ୍ତୁତି ଆକଳନ ପାଇଁ ୪ଟି ରାଜ୍ୟରେ ଟିକାର ଡ୍ରାଏ ରନ୍‌ ଯୋଜନା କରାଯାଇଛି। ଆସନ୍ତା ଡିସେମ୍ବର ୨୮ ଏବଂ ୨୯ ତାରିଖରେ ୪ଟି ରାଜ୍ୟ ପଂଜାବ , ଆସାମ, ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରେ ଟିକାର ଡ୍ରାଏରନ୍‌ ବ୍ୟବସ୍ଥା କରାଯାଇଛି। ଆନ୍ଧ୍ରପ୍ରଦେଶ ସରକାର ୨ ଦିନପାଇଁ କୋଭିଡ୍‌ ଟିକାର ଡ୍ରାଏ୍‌ ରନ୍‌ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଡ୍ରାଏ ରନ୍‌ ହେଉଛି ଏକ ଡମି ଟିକାକରଣ କାର୍ଯ୍ୟକ୍ରମ। ଏହି ପ୍ରକ୍ରିୟାରେ କୌଣସି ଲୋକଙ୍କୁ ଟିକା ଦିଆଯିବନି କିନ୍ତୁ ଏହାଦ୍ବାରା କିଛି ନି‌ର୍ଦ୍ଦିଷ୍ଟ ହିତାଧିକାରୀ ଏହି ଟିକାକରଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବୁଝିପାରିବେ ବୋଲି ଆନ୍ଧ୍ରପ୍ରଦେଶ ସ୍ବାସ୍ଥ୍ୟ କମିସନର କତମାନେନି ଭାସ୍କର କହିଛନ୍ତି। ଭାସ୍କରଙ୍କ ଅନୁଯାୟୀ ରାଜ୍ୟ ସରକାର ଡ୍ରାଏ ରନ୍‌ କାର୍ଯ୍ୟକ୍ରମ ପାଇଁ କ୍ରୀଷ୍ଣା ଜିଲ୍ଲାରେ ୫ଟି ସ୍ଥାନ ବାଛିଛନ୍ତି। ବିଜୟୱାଡାର ସରକାରୀ ଜେନେରାଲ୍‌ ହସ୍ପିଟାଲ୍‌, ଉପ୍ପୁଲୁରୁରେ ପ୍ରାଇମେରି ହେଲ୍‌ଥ କେୟାର, ପୁର୍ନ ହାର୍ଟ ଇନଷ୍ଟିଚ୍ୟୁଟ୍‌, ପେନାମାଲୁରୁ ପ୍ରାଇମେରି ହେଲ୍‌ଥ ସେଣ୍ଟର ଏବଂ ପ୍ରକାଶ ନଗର ଅର୍ବାନ୍‌ ପ୍ରାଇମେରି ହେଲ୍‌ଥ ସେଣ୍ଟରରେ କୋଭିଡ୍‌ ଟିକାରକରଣର ଡ୍ରାଏ ରନ୍‌ ହେବ।

ସମ୍ବନ୍ଧିତ ଖବର