ନୂଆଦିଲ୍ଲୀ: ଏସ୍ରାଏଲ ଉପରେ ହମାସ ଯେଉଁଭଳି ଅତର୍କିତ ଆକ୍ରମଣ କଲା ତାହା କେବେ ଚିନ୍ତା କରାଯାଇ ନଥିଲା। ତେଣୁ ଇସ୍ରାଏଲ ଆକ୍ରମଣ ଘଟଣାରୁ ଆମକୁ ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି ବୋଲି ଏନ୍‌ଏସ୍‌ଜି(ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) ଡିଜି ଏମ୍‌ଏ ଗଣପତି କହିଛନ୍ତି।
ଏନ୍‌ଏସ୍‌ଜିର ପ୍ରତିଷ୍ଠା ଦିବସରେ ଗୁରୁବାର ଆୟୋଜିତ ଏକ ଆଲୋଚନାଚକ୍ରରେ ଗଣପତି କହିଛନ୍ତି, ଭାରତକୁ ଜାତୀୟସ୍ତରର ସଂକଟ ପରିଚାଳନା ବ୍ୟବସ୍ଥା ଆବଶ୍ୟକ। ହମାସ ପକ୍ଷରୁ କରାଯାଇଥିବା ଅଚାନକ ଆକ୍ରମଣ ଘଟଣା ସଂପର୍କରେ ଉଲ୍ଲେଖ କରି ଗଣପତି କହିଥିଲେ ଇସ୍ରାଏଲ ନିକଟରେ ଅତ୍ୟାଧୁନିକ ନିରୀକ୍ଷଣ ବ୍ୟବସ୍ଥା ଏବଂ ପ୍ରଯୁକ୍ତି ଥିଲା। ଏହା ସତ୍ତ୍ବେ ହମାସ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ସକ୍ଷମ ହୋଇପାରିଲେ। ବେନ୍‌ ଗୁରିଅନ୍ ବିମାନ ବନ୍ଦର ଆଡ଼କୁ ଏକାଧିକ ରକେଟ ସେମାନଙ୍କ ପକ୍ଷରୁ ମାଡ଼ କରାଯାଇଥିଲା।

Advertisment

ତେବେ ଦିଲ୍ଲୀ ସମେତ ଆଞ୍ଚଳିକ ସ୍ତରରେ ଥିବା ସ୍ଥାନଗୁଡ଼ିକରୁ ଏନଏସଜି ଏବଂ କ୍ବିକ୍‌ ରେସପନ୍ସ ଟିମ୍‌ (କ୍ୟୁଆର୍‌ଟି) ୨୪ ଘଣ୍ଟା ସତର୍କ ଅଛନ୍ତି। ସେମାନେ ଯେକୌଣସି ପ୍ରକାର ଜରୁରୀ ସ୍ଥିତିର ସାମ୍ନା ସ୍ବଳ୍ପ ନୋଟିସରେ କରିପାରିବେ। ଜାତୀୟସ୍ତରର ସଂକଟ ଦେଖାଦେଲେ ଗୃହ ମନ୍ତ୍ରାଳୟର ଅନୁମତି ପାଇ ଏନ୍‌ଏସ୍‌ଜି ଟାସ୍କ‌ ଫୋର୍ସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥାଏ। ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ସମେତ ଅନ୍ୟ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏନ୍‌ଏସ୍‌ଜି ଟାସ୍କ ଫୋର୍ସକୁ ମୁତୟନ କରାଯାଇଥାଏ। ଗତବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୧୫୧ଟି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଜି ମୁତୟନ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ୧୯୮୪ ମସିହାରେ ଏନ୍‌ଏସ୍‌ଜି ସ୍ଥାପନ ହୋଇଥିଲା। ଆତଙ୍କବାଦର ମୁକାବିଲା ପାଇଁ ଏହା ପ୍ରତିଷ୍ଠା ହୋଇଥିଲା। ସେନା, ସିଏପିଏଫ୍‌ ଏବଂ ରାଜ୍ୟ ପୁଲିସରୁ ବଛା ବଛା ଅଧିକାରୀଙ୍କୁ ନେଇ ଏହି ଫୋର୍ସ ଗଠନ କରାଯାଇଥାଏ। ତେବେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଏହାର ୪ଟି ଆଞ୍ଚଳିକ କେନ୍ଦ୍ର ସ୍ଥାପନ ହୋଇଥିଲା। ସେହି ସ୍ଥାନଗୁଡ଼ିକ ହେଲା ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ ଏବଂ କୋଲକାତା। ୨୦୧୬ରେ ଅହମଦାବାଦରେ ଆଉ ଏକ ୟୁନିଟ୍‌ ସ୍ଥାପନ ହୋଇଛି। ଗତବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ସିଏପିଏଫ୍‌ରୁ ୬୭୬ ଜଣ ଏବଂ ସେନାରୁ ୧୬୦୩ ଜଣଙ୍କୁ ଏନ୍‌ଏସ୍‌ଜିରେ ନିଆଯାଇଛି।