ଜାତିସଂଘରେ ପ୍ରଥମ ଭାଷଣ ଦେବା ଆଗରୁ ଏଲ୍‌ ସାଲ୍‌ଭାଡୋର୍‌ର ରାଷ୍ଟ୍ରପତି କହିଲେ: ରୁହନ୍ତୁ, ଆଗେ ସେଲ୍‌ଫି ଉଠାଏ

ନ୍ୟୁୟର୍କ: ଗୁରୁବାର ଦିନ ଜାତିସଂଘର ସାଧାରଣ ପରିଷଦ୍‌ ବୈଠକରେ ନିଜର ସର୍ବପ୍ରଥମ ଭାଷଣ ଦେବା ଆଗରୁ ସେଲ୍‌ଫି ଉଠାଇ ଯୋଗଦାନକାରୀମାନଙ୍କୁ ଆଚମ୍ବିତ କରି ପକାଇଛନ୍ତି ଏଲ୍‌ ସାଲ୍‌ଭାଡୋର୍‌ର ରାଷ୍ଟ୍ରପତି ନାୟିବ୍‌ ବୁକିଲି।

ମୋବାଇଲ୍‌ ଫୋନ୍‌ଟିଏ କାଢ଼ି, ସହାସ୍ୟ ମୁହଁ ଟେକି, ସେଲ୍‌ଫିଟାଏ ଉଠାଉ ଉଠାଉ ସେ କହିଲେ: ମାତ୍ର ଗୋଟିଏ ସେକେଣ୍ଡ ଅପେକ୍ଷା କରନ୍ତୁ। ପରେ ସେ ଫଟୋଟିକୁ ତାଙ୍କର ୧. ୧ ମିଲିୟନ୍‌ ଅନୁଗାମୀ ଥିବା ଟୁଇଟର୍‌ରେ ପୋଷ୍ଟ୍‍ କରିଥିଲେ।

ସେ କହିଲେ: ବିଶ୍ୱାସ କରନ୍ତୁ ଏଇ ଭାଷଣ ଶୁଣିବା ଅପେକ୍ଷା ମୁଁ ଏଇ ସେଲ୍‌ଫିକୁ ସେୟାର୍‌ କଲେ ଢେର୍‌ ଅଧିକ ଲୋକ ଦେଖିବେ। ମୋର ଆଶା ଭଲ ଫଟୋଟାଏ ଉଠାଇଛି।

Image Source: Yahoo News

ବିଶ୍ୱନେତୃବର୍ଗଙ୍କ ବାର୍ଷିକ ଅଧିବେଶନ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ହେବ ବୋଲି ମାନସିକ ଭାବେ ପ୍ରସ୍ତୁତ ହୋଇଥିବା ନାୟିବ୍‌ ଆହୁରି କହିଲେ, ଏହି ଅଧିବେଶନରେ ପ୍ରଦତ୍ତ ଭାଷଣ ଅପେକ୍ଷା ଇନ୍‌ଷ୍ଟାଗ୍ରାମରେ ଗୋଟିଏ ଦୁଇଟା ଫଟୋର ଅଧିକ ପ୍ରଭାବ ରହିବ।

୬. ୬ ନିୟୁତ ଲୋକ ବାସ କରୁଥିବା କେନ୍ଦ୍ରୀୟ ଆମେରିକୀୟ ଦେଶ ଏଲ୍‌ ସାଲ୍‌ଭାଡୋର୍‌ର ରାଷ୍ଟ୍ରପତି ଭାବେ ସେ ଗତ ଜୁନ୍‌ ମାସରେ ଶପଥ ନେଇଥିଲେ। ପୂର୍ବରୁ ଦେଶର ରାଜଧାନୀ ନଗରୀ ସାନ୍‌ ସାଲ୍‌ଭାଡୋର୍‌ର ମେୟର୍‌ ଥିବା ନାୟିବ୍‌ ସର୍ବଧା ସାମାଜିକ ଗଣମାଧ୍ୟମ ବ୍ୟବହାର କରନ୍ତି।

ସମ୍ବନ୍ଧିତ ଖବର