ଭାରତରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରି ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଦାଉଦ ଇବ୍ରାହିମ ସହ ହାତ ମିଳାଇଲା ଲସ୍କର-ଇ-ତୋଇବା

ନୂଆଦିଲ୍ଲୀ : ଭାରତ ସରକାର ଓ ସୁରକ୍ଷାବଳ ଏବେ କରୋନା ଲଢେଇରେ ବ୍ୟସ୍ତ ଥିବାବେଳେ ଏହି ମୌକାରେ ଭାରତରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଛି ।

ଗୁଇନ୍ଦା ରିପୋର୍ଟ ଅନୁସାରେ ଭାରତରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରି ଏକ ବଡ଼ ଧରଣର ଆକ୍ରମଣ କରିବାକୁ ପାକିସ୍ତାନର ଆଇଏସଆଇ ଯୋଜନା କରୁଛି । ଏହାକୁ କାର୍ଯ୍ୟକାରୀ କରିବାକୁ ଆଇଏସଆଇ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଓ ଅଣ୍ଡରଓ୍ୱାର୍ଲଡ ଡନ ଦାଉଦ ଇବ୍ରାହିମକୁ ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ଆକ୍ରମଣ ସଂପର୍କରେ ଆଲୋଚନା କରିବାକୁ ରବିବାରଦିନ ଦାଉଦ ଇସ୍ଲାମାବାଦସ୍ଥିତ ନିଜର ଫାର୍ମହାଉସକୁ ଯାଇଥିଲା । ସେଠାରେ କେତେକ ଆଇଏସଆଇ ଏଜେଣ୍ଟ, ଲସ୍କର ସଦସ୍ୟମାନଙ୍କ ସହ ଆଲୋଚନା କରି ଯୋଜନାକୁ ରୂପରେଖ ଦିଆଯାଇଥିଲା । ସେହିପରି ଲସ୍କରର ଡେପୁଟୀ କମାଣ୍ଡର ଅବଦୁଲ ରେହମାନ ମାକ୍କି ନିକଟରେ କରାଚୀଠାରେ ଦାଉଦକୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲା ।

ଯୋଜନା ଅନୁସାରେ ସମୁଦ୍ର ପଥରେ ଗୁଜୁରାଟ କିମ୍ବା ମହାରାଷ୍ଟ୍ର ମଧ୍ୟକୁ ଅସ୍ତ୍ରଶସ୍ତ୍ର ଚାଲାଣ କରାଯିବ । ଦାଉଦ ନିଜର ନେଟଓ୍ୱାର୍କ ମାଧ୍ୟମରେ ଏହି କାମ କରିବ । ଭାରତରେ ଥିବା ଦାଉଦର ଏଜେଣ୍ଟ ମାଧ୍ୟମରେ ଲସ୍କର ଏହି ଆକ୍ରମଣ ଘଟାଇବ । ଏହି ରିପୋର୍ଟ ମିଳିବା ପରେ ଭାରତ ସରକାର ସତର୍କ ହୋଇଉଠିଛନ୍ତି ।

ସମ୍ବନ୍ଧିତ ଖବର