ଶ୍ରୀନଗର : କଶ୍ମୀରରେ ଆଜି ସୁରକ୍ଷାବଳକୁ ଡବଲ ସଫଳତା ମିଳିଛି । ସକାଳେ କୁଲଗାମ ଜିଲ୍ଲାରେ ଦୁଇ ଆତଙ୍କବାଦୀ ନିହତ ହେବା ପରେ ସଂଧ୍ୟାରେ ପୁଲଓ୍ବାମା ଠାରେ ଆଉ ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି ଭାରତୀୟ ସେନା ।
ଜମ୍ମୁ ଓ କଶ୍ମୀର ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ ପୁଲଓ୍ବାମାର ଦାଦୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍ ଓ ସ୍ଥାନୀୟ ପୁଲିସ ପକ୍ଷରୁ ଏକ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷା ବାହିନୀର ଏହି ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର ଜଣେ ବରିଷ୍ଠ କମାଣ୍ଡର ଜାହିଦ ଟାଇଗର ନିହତ ହୋଇଥିବା ଜଣାଯାଇଛି । ବିଗତ କିଛି ବର୍ଷ ଧରି ସେ ଭାରତୀୟ ସେନାର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିଲା ।
ଆଜି ସକାଳେ କୁଲଗାମ ଜିଲ୍ଲାର ଚିଙ୍ଗାମ ଅଞ୍ଚଳରେ ସୁରକ୍ଷା ବଳ ପକ୍ଷରୁ କରାଯାଇଥିବା ଅପରେସନରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଶୁକ୍ରବାର ରାତିରେ ସେନା ଓ ସିଆରପିଏଫ ପକ୍ଷରୁ କରାଯାଉଥିବା ଏକ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ହଠାତ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷାବାହିନୀ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା । ସାରା ରାତି ଏହି ଗୁଳିବିନିମୟ ଚାଲିବା ପରେ ଆଜି ସକାଳେ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲା ସୁରକ୍ଷା ବାହିନୀ ।