ଲକ୍ଷ୍ନୌରେ ରହିବେ ପ୍ରିୟଙ୍କା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିଲା କୌଲଙ୍କ ବଙ୍ଗଳାକୁ ପ୍ରସ୍ତୁତ କରାଯାଉଛି

କଂଗ୍ରେସ ସାଂସଦଙ୍କ ଦାବି, ଦଳ ପ୍ରିୟଙ୍କାକୁ ୟୁପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀ ଛାଡ଼ି ଲକ୍ଷ୍ନୌରେ ରହିବାପାଇଁ ଯୋଜନା କରିଛନ୍ତି। ତେବେ ଏହି ଯୋଜନା ଏବେକାର ନୁହେଁ। ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ସୁଦୃଢ଼ କରିବାପାଇଁ ପ୍ରିୟଙ୍କା ଲକ୍ଷ୍ନୌରେ ରହିବାପାଇଁ ଚଳିତ ବର୍ଷ ଆରମ୍ଭରେ ଯୋଜନା କରିଥିଲେ। କିନ୍ତୁ କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଯୋଗୁଁ ପ୍ରିୟଙ୍କାଙ୍କ ଯୋଜନା ଭଣ୍ଡୁର ହୋଇଯାଇଥିଲା। ଦିଲ୍ଲୀ ସ୍ଥିତ ବଙ୍ଗଳା ଛାଡ଼ିବା ପାଇଁ ସରକାର ନୋଟିସ୍‌ କରିବାପ‌ରେ ପ୍ରିୟଙ୍କା ତାଙ୍କର ଏହି ଯୋଜନାକୁ ତ୍ବରାନ୍ବିତ କରିଛନ୍ତି। ପ୍ରିୟଙ୍କା ଲକ୍ଷ୍ନୌରେ ରହିବାପାଇଁ ଘର ଠିକ୍‌ ହୋଇସାରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଖୁଡ଼ି ତଥା ସ୍ବର୍ଗତା କଂଗ୍ରେସ ନେତ୍ରୀ ଶିଲା କୌଲ୍‌ଙ୍କ ଘରେ ପ୍ରିୟଙ୍କା ରହିବେ।

ସୂଚନାନୁଯାୟୀ, ପ୍ରିୟଙ୍କା ଏହି ଘରକୁ ଉତ୍ତରପ୍ରଦେଶରେ ତାଙ୍କ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିବେ। ଯଦି ପ୍ରିୟଙ୍କା ଲକ୍ଷ୍ନୌକୁ ସ୍ଥାନାନ୍ତର ହୁଅନ୍ତି ତେବେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ବିଏସ୍‌ପିର ମାୟାବତୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତେ ଗୋଟିଏ ସହରରେ ରହିବେ। ଉତ୍ତରପ୍ରଦେଶରେ ଏଯାବତ୍‌ କୌଣସି ନିର୍ବାଚନ ଲଢ଼ିନଥିବା ପ୍ରିୟଙ୍କା କିଛି ନା’ କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଶେଷ ଥର ପାଇଁ ୨୦୧୯ ଡିସେମ୍ବରରେ ପ୍ରିୟଙ୍କା ଲକ୍ଷ୍ନୌ ଗସ୍ତ କରିଥିଲେ। ନିକଟରେ ସେ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ସମାଲୋଚନା କରି କହିଥିଲେ ଯେ, କିଛି ବିରୋଧୀ ଦଳ ନେତା ବିଜେପିର ଅଘୋ‌ଷିତ ମୁଖପାତ୍ର ସାଜିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ପ୍ରିୟଙ୍କା ତାଙ୍କ ଭାଇ ରାହୁଲ ଏବଂ ମା’ ସୋନିଆଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। କିନ୍ତୁ ରାହୁଲ ନିର୍ବାଚନ ହାରିଥିବା ବେଳେ ସୋନିଆ ନିର୍ବାଚନ ଜିତିଥିଲେ। ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ସରକାରଙ୍କୁ ସମାଲୋଚନା କରୁଥିବା ପ୍ର୍ରିୟଙ୍କା ଆଗକୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ୁଛି। କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ ଦାବି କରିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁ।

ସମ୍ବନ୍ଧିତ ଖବର