ବକ୍ସି ଓ ଲକ୍ଷ୍ମୀବାଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଉ: ଭର୍ତ୍ତୃହରି

ନୂଆଦିଲ୍ଲୀ : ସଂସଦରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଓ ଝାନ୍‌ସି ରାଣୀ ଲକ୍ଷ୍ମୀବାଈଙ୍କ ଅଶ୍ବାରୋହଣ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଅନୁମତି ଦିଆଯାଉ ବୋଲି ବୁଧବାର ଦିନ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଲୋକସଭା‌ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ଶ୍ରୀ ମହତାବ ଲୋକସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଲେ, ୧୯୯୬-୯୭ ରେ ସଂସଦର ‘ଜେନେରାଲ ପରପସ୍‌ କମିଟି’ ଦ୍ବାରା ସଂସଦ ପରିସରରେ ପ୍ରମୁଖ ଅଶ୍ବାରୋହଣ ପ୍ରତିମୂର୍ତ୍ତି ସ୍ଥାପନ କ୍ରମରେ ବକ୍ସି ଜଗବନ୍ଧୁ ଓ ଲକ୍ଷ୍ମୀବାଈଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୪ରେ ୟୁପିଏ ସରକାରଙ୍କ ସମୟ‌ରେ ଦୁଇ ପ୍ରତିମୂର୍ତ୍ତି ସ୍ଥାପନକୁ ଠପ କରିଦିଆଯାଇଥିଲା। ଓଡ଼ିଶା ସରକାର ବକ୍ସିଙ୍କ ଅଶ୍ବାରୋହଣ ପ୍ରତିମୂର୍ତ୍ତି ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ପ୍ରତିମୂର୍ତ୍ତି ନିର୍ମାଣ ହୋଇସାରିଛି। ଉତ୍ତର ପ୍ରଦେଶ ସରକାର ମଧ୍ୟ ପ୍ରତିମୂର୍ତ୍ତି ଯୋଗାଇଦେବାକୁ ରାଜି ହେବେ ବୋଲି ଶ୍ରୀ ମହତାବ ଆଶା ପ୍ରକାଶ କରିଥିଲେ। ବାଚସ୍ପତି ଓମ ବିର୍ଲା ଟିପ୍ପଣୀରେ କହିଲେ, ଆପଣ ବରିଷ୍ଠ ସଦସ୍ୟ,ଏହି ସବୁ ପ୍ରସଙ୍ଗ ପାଇଁ ସଂସଦରେ ଗୋଟିଏ କମିଟି ରହିଛି।

ସମ୍ବନ୍ଧିତ ଖବର